ଶକୁନ ବାତ୍ରାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେହରାଇୟାଁ’ ଆମାଜନ ପ୍ରାଇମ୍ ଭିଡିଓରେ ପ୍ରିମିୟର୍ ହେବ ବୋଲି ଘୋଷଣା ହେଇଛି। ଏଇ ଚଳଚ୍ଚିତ୍ରଟି ଶକୁନଙ୍କ ଜୁସ୍କା ଫିଲ୍ମସ ପ୍ରଡକ୍ସନ ହାଉସ ସହିତ ଧର୍ମା ପ୍ରଡକ୍ସନ୍ ଓ ବାଇକମ୍-୧୮ ଷ୍ଟୁଡିଓ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି। ଏଥିରେ ପ୍ରେମୀଯୁଗଳଙ୍କ ପ୍ରେମସମ୍ପର୍କର ଡ୍ରାମା ପ୍ରତିଫଳିତ ହେଇଛି।
ଆଧୁନିକ ଯୁଗର ପ୍ରେମ ସମ୍ପର୍କ ଏତେ ଜଟିଳ ଯେ ପ୍ରେମିକ ଓ ପ୍ରେମିକା ବାସ୍ତବ ଜୀବନରେ ନିୟନ୍ତ୍ରଣ ହରାଇ ବସୁଛନ୍ତି। ଏ ପ୍ରେମ ସମ୍ପର୍କ ଏତେ ଗଭୀରକୁ ଯାଉଛି ଓ ଏମାନଙ୍କୁ ଏତେ ଦ୍ବନ୍ଦ୍ବରେ ପକାଉଛି ଯେ ଉଭୟ ଏକ ନିଶ୍ଚିତ ନିଷ୍ପତ୍ତିରେ ପହଞ୍ଚିପାରୁନାହାଁନ୍ତି। ଆଜିର ପ୍ରେମୀଯୋଡ଼ିଙ୍କ ମଧ୍ୟରେ ଗଢ଼ି ଉଠୁଥିବା ପ୍ରେମସମ୍ପର୍କ ଭିତରେ ସମ୍ପର୍କର ଗଭୀରତା, ବାସ୍ତବତା ଓ ଆତ୍ମୀୟତାକୁ ନେଇ ଏଇ ଚଳଚ୍ଚିତ୍ର ମାଧ୍ୟମରେ ଚମତ୍କାର ଭାବେ ବିଶ୍ଳେଷଣ କରାଯାଇଛି। ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ, ଦୀପିକା ପାଦୁକୋନ ଓ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି। ପୁଣି ବର୍ଷୀୟାନ ଅଭିନେତା ନସିରୁଦ୍ଦିନ ଶାହ ଓ ରଜତ କପୁର ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।
ଆଗାମୀ ଜାନୁଆରି ୨୫ ତାରିଖରେ ଉକ୍ତ ଚଳଚ୍ଚିତ୍ରଟିକୁ ୨୪୦ରୁ ଅଧିକ ଦେଶରେ (ୱାର୍ଲଡ୍ ପ୍ରମିୟର) ପ୍ରଦର୍ଶିିତ କରାଯିବ ବୋଲି ଯୋଜନା କରାଯାଇଛି। ପ୍ରୋକ୍ଷାଳୟରେ ସିଧାସଳଖ ଉକ୍ତ ସିନେମାଟି ମୁକ୍ତିଲାଭ କରୁ ନ ଥିଲେ ମଧ୍ୟ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଅନେକ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଆମାଜନ ପ୍ରାଇମ୍ ଭିଡିଓର ଲାଇସେନ୍ସିଙ୍ଗ୍ ହେଡ୍ ମନୀଷ ମନ୍ଧାନୀ ଆଶା ରଖିଛନ୍ତି।