ଓଲିଉଡର ଲୋକପ୍ରିୟ ନାୟକ ଅରିନ୍ଦମଙ୍କ ନୂଆ ସିନେମାର ନବାଗତା ନାୟିକା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ଅରିନ୍ଦମ ଏବେ ତାଙ୍କ ନୂଆ ଛବି ‘ରାମ୍’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ସୁଟିଂ ଜୋର‌ସୋରରେ ଚାଲିଛି। ସବୁଠୁ ବଡ଼ କଥା ହେଲା ଯେ ଏଥିରେ ଅରିନ୍ଦମଙ୍କ ବିପକ୍ଷରେ ଜଣେ ବଙ୍ଗୀୟ ନାୟିକାଙ୍କୁ ନିଆଯାଇଛି। ସେ ଓଲିଉଡ ପାଇଁ ନବାଗତା। ନାଆଁ ତାଙ୍କର ରୂପସା ମୁଖୋପାଧ୍ୟାୟ।
ରୂପସା ଅବଶ୍ୟ ବଙ୍ଗଳା ସିନେଜଗତରେ ବେଶ୍ ପରିଚିତ। ୨୦୧୬ରେ ମୁକ୍ତିଲାଭ କରିଥିବା ବଙ୍ଗଳା ଛବି ‘ଭାଲୋବାସା ଭାଲୋବାସା’ରେ ଅଭିନୟ କରି ରାତାରାତି ଷ୍ଟାର୍ ବନିଥିଲେ। ଏହାପରେ ତାଙ୍କୁ କେ ତୁମି ନନ୍ଦିନୀ ଏବଂ ହରର ଷ୍ଟୋରିଜ୍ ଆଦି ବଙ୍ଗଳା ଛବିରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏବେ ବି ରୂପସାଙ୍କ ହାତରେ କେତୋଟି ବଙ୍ଗଳା ସିନେମା ଅଛି। ତେବେ ଖୁବ୍ ଶୀଘ୍ର ସେ ଓଡ଼ିଆ ଛବି ‘ରାମ୍’ ରେ ନଜର ଆସିବେ। ଏହା ହେବ ତାଙ୍କର ପ୍ରଥମ ଓଡ଼ିଆ ଛବି। ଏହା ଅବଶ୍ୟ ଏକ ଦ୍ବିଭାଷୀ(ଓଡ଼ିଆ-ବଙ୍ଗଳା) ସିନେମା।


ଦଶହରାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର କାହାଣୀକାର ଓ ପ୍ରଯୋଜକ ହେଲେ ନିଜେ ଅରିନ୍ଦମ ରାୟ। ଓଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଅଶୋକ ପତି ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଭରଦ୍ବାଜ ପଣ୍ଡା ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ଅସଦ ନିଜାମ ଓ ଲିଙ୍କନ୍ । ପ୍ରଥମ ଓଡ଼ିଆ ଫିଲ୍ମରେ ରୂପସାଙ୍କୁ ଦର୍ଶକୀୟ ସମର୍ଥନ ମିଳୁଛି କି ନା, ତାହା ଦେଖିବାକୁ ବାକି ରହିଲା। ଖାଲି ସେତିକି ନୁହେଁ ଏହି ସୁପର୍ ଆକସନ୍ ମୁଭିରେ ରୂପସାଙ୍କ ଭୂମିକା କ’ଣ ତାକୁ ନେଇ ନେଇ ଉଭୟ ଓଲିଉଡ ଓ ଟଲିଉଡରେ ଉତ୍କଣ୍ଠା ଲାଗି ରହିଛି।

ସମ୍ବନ୍ଧିତ ଖବର