ମଞ୍ଜରୀ ଆଣୁଛି ‘ନଣନ୍ଦ ପୁଟୁଳି’

ଭୁବନେଶ୍ବର: ବାହା ନ ହୋଇ କାହାକୁ ନଣନ୍ଦ ପୁଟୁଳି ସଜାଡିବାର ଶୁଣିଛନ୍ତି କି ? ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ତିନି ତିନିଟା ନଣନ୍ଦଙ୍କ ପାଇଁ ସଜଡା ହେଉଛି ନଣନ୍ଦ ପୁଟୁଳି । ଓଡିଶାର ପ୍ରଥମ ୨୪ ଘଣ୍ଟିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଚଳିତ ମାସ ୭ ତାରିଖରୁ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୭.୩୦ରେ ପ୍ରସାରଣ କରିବାକୁ ଯାଉଛି ନୂଆ ଧାରାବାହିକ ‘ନଣନ୍ଦ ପୁଟୁଳି’ ।

ଘରେ ଗୋଟିଏ ବୋଲି ରୋଜଗାରିଆ ପୁଅ ପ୍ରିୟାଂଶୁ ଆଉ ବାହା ହୋଇ ନ ଥିବା ତିନି ଜଣ ବଢ଼ିଲା ଝିଅଙ୍କୁ ନେଇ ମା’ ପ୍ରବୀଣାଙ୍କ ସଂସାର । ସ୍ୱାମୀଙ୍କ ଦେହାନ୍ତ ପରେ ପୂରା ପରିବାରର ବୋଝ ପ୍ରିୟାଂଶୁ ମୁଣ୍ଡରେ । ହେଲେ ତା’ ପ୍ରେମିକା ଫ୍ଲୋରା କିନ୍ତୁ ଭାରି ଜିଦଖୋର୍ । ସେ ଅଡି ବସେ ତାଙ୍କ ସମ୍ପର୍କକୁ ତୁରନ୍ତ ଏକ ପରିଚୟ ଦେବା ପାଇଁ । ହେଲେ ଭଉଣୀମାନଙ୍କର ବାହାଘର ଆଗରୁ ଭାଇର ବାହାଘର ହୋଇପାରିବ ନାହିଁ ବୋଲି କହନ୍ତି ମା’ ପ୍ରବୀଣା । କଥା ସେତିକିରେ ସରେନି। ବାହା ନହେବା ପାଇଁ ଭଉଣୀମାନଙ୍କର ବାହାନା ବି କହିଲେ ନସରେ । ପ୍ରିୟାଂଶୁର ଏଇ ସମସ୍ୟାକୁ ସୁଧାରିବା ପାଇଁ ଆଗେଇ ଆସେ ତା’ ଅଫିସର ଜଣେ ସହକର୍ମୀ ‘ପ୍ରାପ୍ତି’ । ପ୍ରାପ୍ତିର ପ୍ରତିଟି ପ୍ରୟାସ ଓ ପ୍ରିୟାଂଶୁର ତା’ଉପରେ କ୍ରମଶଃ ବଢୁଥିବା ଭରସା, ବିଶ୍ୱାସ ଓ ଭଲପାଇବାକୁ ନେଇ କାହାଣୀଟି ଗତିଶୀଳ ହୁଏ । ତିନି ଭଉଣୀଙ୍କ ବିବାହ କରିବାରେ ପ୍ରାପ୍ତି କ’ଣ ସଫଳ ହୁଏ ? ପ୍ରିୟାଂଶୁ କ’ଣ ଫ୍ଲୋରାକୁ ପାଏ ? ନା କାହାଣୀରେ ଆଉ କିଛି ନୂଆ ମୋଡ ଆସେ- ଏହି କଥାବସ୍ତୁକୁ ନେଇ ନିର୍ମିତ ହୋଇଛି ‘ମଞ୍ଜରୀ’ର ନୂଆ ମେଗା ଧାରାବାହିକ ‘ନଣନ୍ଦ ପୁଟୁଳି’ ।

 

ସିଲଭର୍ ଟୋନ୍ ଏଣ୍ଟରଟେନମେଣ୍ଟ ପ୍ରଯୋଜନାରେ ‘ମଞ୍ଜରୀ’ ପାଇଁ ନିର୍ମିତ ଏହି ଧାରାବାହିକର କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱରେ ଅଭିଜିତ୍ ସିନ୍ଧେ ଥିବା ବେଳେ ସଂଳାପ ଓ ଶୀର୍ଷକ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ରତିକାନ୍ତ ଶତପଥୀଙ୍କ ସ୍ୱର ସଂଯୋଜନାରେ ଶୀର୍ଷକ ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ । ଏହି ଧାରାବହିକର ନିର୍ଦ୍ଦେଶନା ଦେଇଛନ୍ତି ବାପି ବିଶ୍ୱାଳ । ଧାରାବାହିକର ମୁଖ୍ୟଭୂମିକାରେ କୁକିଜ୍ ସ୍ୱାଇଁ, ବିଶ୍ୱଦୀପ ଦାସ, ଶେଲୀ ମିଶ୍ର, ସ୍ନିଗ୍ଧାରାଣୀ ସିଂ, ପ୍ରତିଭା ବେହେରା, ଶୁଭଶ୍ରୀ ପ୍ରଧାନ, ପ୍ରଭାତୀ ସାହୁ, ପୂର୍ଣ୍ଣେନ୍ଦୁ ଦତ୍ତ, ପୁଷ୍ପା ପଣ୍ଡା ଓ ବନ୍ଦନା ମହାପାତ୍ରଙ୍କୁ ଦେଖିବାକୁ ମିଳିବ ।

‘ନଣନ୍ଦ ପୁଟୁଳି’ ପ୍ରସାରଣ ସମୟ ଚଳିତ ମାସ ୭ ତାରିଖରୁ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ସ୍ଥିର କରାଯାଇଥିବା ବେଳେ ଏହି ସମୟରେ ପ୍ରସାରିତ ଧାରାବାହିକ ‘ବୋହୂ ଆମର ଏନଆରଆଇ’ର ପ୍ରସାରଣ ସମୟ ରାତି ୮ଟାକୁ ପରିବର୍ତ୍ତିତ କରାଯାଇଛି । ଏହା ସହିତ ୭ ସେପ୍ଟେମ୍ବରରୁ ‘ମଞ୍ଜରୀ’ ଏହାର ମୋଗା ଧାରାବାହିକ ଶୃଙ୍ଖଳାରେ ଆଉ ଗୋଟିଏ ରହସ୍ୟ ଓ ରୋମାଞ୍ଚ ଭରା କାହାଣୀ ଯୋଡୁଛି ଯାହାର ଶୀର୍ଷକ ରହିଛି ‘ଛାଇ ପରି କେହି’ । ପ୍ରତି ସୋମବାରରୁ ଶୁକ୍ରବାର ରାତି ୯ଟାରେ ଏହାକୁ ଆପଣ ଦେଖିପାରିବେ ।

‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଓ ‘ବୋହୂ ଆମର ଏନଆରଆଇ’ ଭଳି ଏ ଦୁଇଟି ନୂଆ ମେଗା ଧାରାବାହିକକୁ ଦର୍ଶକମାନେ ବେଶ୍ ପସନ୍ଦ କରିବେ ବୋଲି ଆଶା ପୋଷଣ କରାଯାଉଛି ।

ସମ୍ବନ୍ଧିତ ଖବର