ଜୀ ସାର୍ଥକର ନୂଆ ମେଗା ଧାରାବାହିକ ‘ମା’ ଯାହାର ସାହା’

ଜୀ ସାର୍ଥକରେ ନୂଆ ମେଗା ଧାରାବାହିକ ‘ମା’ ଯାହାର ସାହା’ ଆସନ୍ତା ଜୁଲାଇ ୧୮ ତାରିଖରୁ ପ୍ରସାରିତ ହେବାକୁ ଯାଉଛି। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦର୍ଶକମାନେ ଏହି ଧାରାବାହିକ ଦେଖିପାରିବେ। ବିଜ୍ଞାନ ଓ ଈଶ୍ୱର ଭକ୍ତିର ଅପୂର୍ବ ସଂଯୋଗ ଏଥିରେ ଦେଖିବାକୁ ମିଳିବ। ଓଡ଼ିଆ ମନୋରଂଜନ ଦୁନିଆରେ ଏହି ମେଗା ଧାରାବାହିକ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।

ବିଜ୍ଞାନକୁ ବିଶ୍ୱାସ କରୁଥିବା ଡା. ଶିବ ପ୍ରସାଦ ତ୍ରିପାଠୀ ଓ ମା’ କାଳୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖୁଥିବା ପାର୍ବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନିଛକ ଭାବରେ ଏଥିରେ ପରିବେଷଣ କରାଯାଇଛି। ଜଣେ ବ୍ୟକ୍ତି ବିଜ୍ଞାନର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇପାରୁଛି ବୋଲି ଦାବି କରୁଥିବା ବେଳେ ଈଶ୍ୱର ହିଁ ସର୍ବଶକ୍ତିମାନ ଓ ସାରା ସଂସାର ଈଶ୍ୱରଙ୍କ ନିର୍ଦ୍ଦେଶରେ ଚାଲେ ବୋଲି ଆଉ ଜଣେ ଦାବି କରୁଛନ୍ତି। ସେହିଭଳି ଶୈଳଭାମା ଓ ଶକ୍ତି ପ୍ରସାଦ ନାମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଘରେ ରହିଥିବା ଖଳନାୟକମାନଙ୍କୁ ବି ବେଶ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ମା’ କାଳୀଙ୍କ ଆଶୀର୍ବାଦରେ କିଭଳି ସୁନା ସଂସାର ଆଗକୁ ବଢ଼େ ଓ କେଉଁ ଘଟଣା ପ୍ରଭାବିତ କରେ ତାହା ଅତି ନିଖୁଣ ଭାବେ ପରିସ୍ଫୁଟନ କରାଯାଇଛି।

ଓଡ଼ିଆ ଦର୍ଶକଙ୍କ ଭାବନାକୁ ବୁଝିପାରୁଥିବା ଏହି ନୂଆ ମେଗା ଧାରାବାହିକରେ ପାର୍ବତୀ ଭୂମିକାରେ ଜସ୍ମିନ ରଥ ଅଭିନୟ କରୁଥିବା ବେଳେ ଡା. ଶିବପ୍ରସାଦ ଭୁମିକାରେ ଆଲୋକ ଅଭିନୟ କରିଛନ୍ତି। ଶୈଳଭାମା ଚରିତ୍ରରେ ଛନ୍ଦିତା ପାଢ଼ୀ ଓ ଶକ୍ତିପ୍ରସାଦ ଭାବେ ବୀରେନ ମିଶ୍ର ଚମତ୍କାର ଅଭିନୟ କରିଛନ୍ତି। ଏଥି ପୂର୍ବରୁ ‘ସୁନା ଝିଅ’ ଧାରାବାହିକକୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। ‘ମା ଯାହାର ସାହା’ ମଧ୍ୟ ଦର୍ଶକମାନଙ୍କ ଦ୍ବାରା ଆଦୃତ ହେବ ବୋଲି ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର