ଆସନ୍ତା ସୋମବାର ‘ମଞ୍ଜରୀ’ରେ ପ୍ରସାରିତ ହେବ ନୂଆ ମେଗାଧାରାବାହିକ ‘ସୁନାଫରୁଆ’

ଭୁବନେଶ୍ବର: ଆସନ୍ତା ସୋମବାର ୮ତାରିଖ ଦିନ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ଆଉ ଏକ ନୂଆ ମେଗାଧାରାବାହିକ ‘ସୁନାଫରୁଆ’। ପ୍ରେମ ଓ ପ୍ରତିଶୋଧର ଭିତ୍ତିଭୂମି ଉପରେ ପରିକଳ୍ପିତ ଏଇ ଧାରାବାହିକରେ ଓଡ଼ିଆ ଦର୍ଶକଙ୍କୁ ଏକ ଭିନ୍ନସ୍ବାଦର କାହାଣୀ ଦେଖିବାକୁ ମିଳିବ, ଯାହାର ପୃଷ୍ଠଭୂମି ଶହେବର୍ଷ ତଳର ଏକ ଘଟଣା। ଏହା ସହିତ ବର୍ତ୍ତମାନ ସମୟରେ ଚରିତ୍ରମାନଙ୍କର ସମ୍ପର୍କକୁ ନେଇ ଚିତ୍ରିତ କରାଯାଇଛି। ଏହି ଧାରାବାହିକଟିର ମୁଖ୍ୟ ଚରିତ୍ର ଭାବରେ ଦର୍ଶକମାନେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ଦେଖିବାର ସୁଯୋଗ ପାଇବେ।

ପ୍ରତ୍ନତତ୍ତ୍ବ ଓ କୀର୍ତ୍ତିରାଜି ବିଭାଗର ଛାତ୍ରୀ ତଥା କାହାଣୀର ନାୟିକା ଆରାଧ୍ୟା ନିଜ ସହପାଠୀ ସହ ଏକ ପ୍ରାଚୀନ ମନ୍ଦିରର ତଥ୍ୟ ସଂଗ୍ରହ କଲାବେଳେ ଆକର୍ଷିତ ହେଇଯାଏ ଏକ ଭଗ୍ନ ପ୍ରସ୍ତର ମୂର୍ତ୍ତି ଆଡ଼କୁ, ଆଉ ତାକୁ ମନେ ହୁଏ ଯେମିତି ତା’ର ଏହି ପରିବେଶ ସହିତ କିଛି ଅଦ୍ଭୁତ ସମ୍ପର୍କ ରହିଛି, ଯାହାକୁ ସେ ବାରମ୍ବାର ଅନୁଭବ କରିପାରୁଛି କିନ୍ତୁ ପ୍ରକାଶ କରିପାରୁନି। ଏହି ପୁରୁଣା ମନ୍ଦିର ତଥା ଭଗ୍ନ ପ୍ରସ୍ତର ମୂର୍ତ୍ତି ଭିତରେ ଲୁଚି ରହିଛି ମେଗାଧାରାବାହିକ ‘ସୁନା ଫରୁଆ’ର ସୁନ୍ଦର କାହାଣୀ। ପୂର୍ବ ଜନ୍ମ ଓ ପର ଜନ୍ମରେ ବିଶ୍ବାସ କରନ୍ତି କାହାଣୀର ଲେଖକ ଓ ନିର୍ଦ୍ଦେଶକ। ଏହି ଧାରାବାହିକର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଉଷସୀ ମିଶ୍ର, ସୁଲଗ୍ନା, ବିକ୍ରମ ଓ ଚୌଧୁରୀ ବିକାଶ ଦାସଙ୍କ ଭଳି ଅନେକ ସ୍ବନାମଧନ୍ୟ କଳାକାର। ଓଡ଼ିଆ ଦର୍ଶକମାନେ ‘ମଞ୍ଜରୀ’ର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ଏହାକୁ ମଧ୍ୟ ଚ୍ୟାନେଲ୍‌ର ୟୁଟ୍ୟୁବ୍ ପ୍ଲାଟ୍‌ଫର୍ମରେ ଦେଖିପାରିବେ। ପୂର୍ବ ଧାରାବାହିକଗୁଡ଼ିକ ଭଳି ଏହି ନୂଆ ମେଗାଧାରାବାହିକକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଚ୍ୟାନେଲ୍‌ ପକ୍ଷରୁ ଆଶା କରାଯାଉଛି।

ସମ୍ବନ୍ଧିତ ଖବର