ରିଲିଜ୍ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡିଓ; ନମିତାଙ୍କ ଗୀତରେ ଝୁମିଲେ ଦିବ୍ୟାଙ୍ଗ ଓ ଦୃଷ୍ଟିବାଧିତ

ଭୁବନେଶ୍ବର:  ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ ‘କିଛି ମାଗୁନାହିଁ ତତେ’ । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ଏବଂ ଦୃଷ୍ଟିବାଧିତ ଓ ଦିବ୍ୟାଙ୍ଗମାନେ । କିଛି ଦିନ ତଳେ ନମିତାଙ୍କ କଣ୍ଠରେ ରେକର୍ଡ ହୋଇ ଏ ଗୀତଟି ବେଶ୍ ଭାଇରାଲ୍ ହୋଇଥିଲା । ଆଉ ଏବେ ଏହାର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି ଯାହାକୁ ସବୁ ବର୍ଗର ଶ୍ରୋତା ଓ ଦର୍ଶକ ପସନ୍ଦ କରିବା ସାଙ୍ଗକୁ ଉଚ୍ଛ୍ୱସିତ ପ୍ରଶଂସା ମିଳିବାରେ ଲାଗିଛି ।

ଓଡିଶାର ରାନୁ ମଣ୍ଡଳ ଭାବେ ପରିଚିତ ନମିତାଙ୍କୁ ଗାଇବାର ସୁଯୋଗ ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସୋସିଆଲ ମିଡିଆରେ ନମିତାଙ୍କ କଣ୍ଠସ୍ୱର ଶୁଣି ବେଶ୍ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଭଜନ ତଥା ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ରଖିବାକୁ ଯାଇ ପ୍ରାଥମିକ ପର୍ଯ୍ୟାୟରେ ନମିତାଙ୍କ କଣ୍ଠରେ ଏହି ଭଜନଟି ରେକର୍ଡ କରାଯାଇଥିଲା ଏବଂ ଏହା ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓଲିଉଡର ସଫଳ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଗୀତ ରଚନା କରିଥିଲେ ବରିଷ୍ଠ ଗୀତିକାର ବିଜୟ ମଲ୍ଲ ।

ଏହାର ଷ୍ଟୁଡିଓ ଭର୍ସନକୁ ଯେପରି ଆଶାତୀତ ଭଲପାଇବା ମିଳିଥିଲା ତାକୁ ନଜରରେ ରଖି ଓଡିବାବା ମ୍ୟୁଜିକ ଷ୍ଟୁଡିଓଜ୍ ଏହାର ଏକ ନିଆରା ଭିଡିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପ୍ରମୁଖ ଆକର୍ଷଣ ସାଜିଛନ୍ତି କଟକସ୍ଥିତ ଆଶ୍ରୟ ସ୍କୁଲର ଦୃଷ୍ଟିବାଧିତ ତଥା ଦିବ୍ୟାଙ୍ଗ କିଶୋର କିଶୋରୀ । ସେମାନେ ହେଲେ ସନ୍ଧ୍ୟାରାଣୀ, ଆଶା ବାହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନୀ ରାଉଳ, ଦୀପା ସହାୟ ଓ ଭାସ୍କର ସହାୟ । ଏହି ଦିବ୍ୟାଙ୍ଗ କିଶୋର କିଶୋରୀଙ୍କ ସହ ନଜର ଆସିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ନୃତ୍ୟ ନିଦ୍ଦେଶନା ଦେଇଛନ୍ତି ଦେବାଶିଷ ସାହୁ । କ୍ୟାମେରାରେ ଚନ୍ଦନ ଥିବାବେଳେ ସମ୍ପାଦନା କରିଛନ୍ତି ସରୋଜ ରାଉଳ । ପ୍ରସ୍ତୁତି କ୍ଷେତ୍ରରେ ବିଶେଷ ସହାୟତା କରିଛନ୍ତି କଟକ ସ୍ଥିତ ଆଶ୍ରୟ ସ୍କୁଲର ଶିକ୍ଷୟତ୍ରୀ ସୁଜାତା ପଟ୍ଟନାୟକ ଓ ସୁସ୍ମିତା ମ୍ୟାଡାମ ।

ସମ୍ବନ୍ଧିତ ଖବର