ଭୁବନେଶ୍ବର: ଜଣେ ସାବତ ପୁଅ ନିଜ ବାପାର ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗିଛି। ବଡ଼ ହୋଇ ଜେଲ୍ରୁ ଫେରି ଦେଖୁଛି ତା’ର ପରିବାର ଛାରଖାର ହେଇଯାଇଛି। ତା’ର ଦୁଇ ଭାଇ ମଧ୍ୟ ଅବାଟକୁ ଚାଲିଯାଇଛନ୍ତି। ପରିବାରକୁ ସଜାଡ଼ିବା ପାଇଁ ଏବଂ ତା’ର ବାପା ମୃତ୍ୟୁର ଦୋଷୀକୁ ଦଣ୍ଡ ଦେବା ପାଇଁ ସେ ଶଙ୍କର ଅବତାରରେ ଉଭା ହେଉଛି। ଏହା ହେଉଛି ନିର୍ମାଣାଧୀନ ଚଳଚ୍ଚିତ୍ର ‘ଶଙ୍କର’ର କାହାଣୀର ନିଷ୍କର୍ଷ। ଏଥିରେ ଅଭିନେତା ଶିବା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ। ଶିବା ଆଗରୁ ‘ବିଶ୍ବରୂପ’ ଓ ‘ଗୁରୁଦେବ’ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏସ୍ଡି ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’ରେ ମୁଖ୍ୟ ଚରିତ୍ରରେ ନଜରକୁ ଆସିବେ ତିନି ଅଭିନେତା- ସିଦ୍ଧାନ୍ତ, ଦେବାନନ୍ଦ ଓ ଶିବା। ଦେବାନନ୍ଦଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଦିବ୍ୟାଦିଶା।
ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେ ଜଗତରେ ପରିଚିତ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦର୍ଶକ ଏକ ନୂଆ ରୂପରେ ଦେଖିବାକୁ ପାଇବେ। ଏହି ସିନେମାରେ ସେ ପରିବାରର ବଡ଼ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଚରିତ୍ରରେ ଅଛନ୍ତି ସୁପ୍ରିୟା, କୁନା ତ୍ରିପାଠୀ, କେକେ, ବିଜୁ ବଡ଼ଜେନା, କାଳୀ, ଦୀପ୍ତିରେଖା, ନୁପୂର ଘୋଷ, ମିତା ଚକ୍ରବର୍ତ୍ତୀ, ସୁଶାନ୍ତ, ଅନନ୍ତ ଆଚାର୍ଯ୍ୟ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। ଅତୀତରେ ସେ ଏ ମନ ମାନେନା, ଆରେ ସାଥୀ ଆ, ମୁନ୍ନା-ଏ ଲଭଷ୍ଟୋରି ଓ ମନେ ମନେ ମନ ଖୋଜୁଥିଲା ଆଦି ସିନେମାର ନିର୍ଦେଶନା ଦେଇଛନ୍ତି। ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ସେ ନିଜେ ରଚନା କରିଛନ୍ତି। ଏହାର ସଂଳାପକାର ମନୋରଂଜନ ଦାସ ଏବଂ ସଙ୍ଗୀତକାର ହେଉଛନ୍ତି ବୈଦ୍ୟନାଥ ଦାଶ। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅରବିନ୍ଦ ସାହୁ ଏବଂ ଚିତ୍ରୋତ୍ତୋଳନ କରିଛନ୍ତି ଅଜିତ ଦାସ। ଖୁବଶୀଘ୍ର ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥାର ପ୍ରଚାର ପ୍ରସାର ଦାୟିତ୍ବରେ ଥିବା ଅମରେଶ ସୂଚନା ଦେଇଛନ୍ତି।