ନିକଟରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଫେରି ଆସୁଥିବି କୋଳକୁ ତୋର’ର ୱାଲ୍‌ର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଭୁବନେଶ୍ବରର ହୋଟେଲ୍‌ ବରେଣ୍ୟ ପରିସରରେ ଏହାର ଅଡିଓ ରିଲିଜ୍‌ ହୋଇଯାଇଛି। ଆସନ୍ତା ୧୮ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକ ଚ୍ୟାନେଲ୍‌ରେ ସିନେପ୍ରେମୀ ଉକ୍ତ ଚଳଚ୍ଚିତ୍ରଟିକୁ ଦେଖିପାରିବେ। ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟ ଜିଣିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍‌ଲି ରଥ ଆଶାବାଦୀ ଅଛନ୍ତି।

Advertisment

ଜି ସାର୍ଥକ ଫିଲ୍ମସ୍‌ ଓ ସାଇ ହରି ଭିଜନ୍‌ର ମିଳିତ ପ୍ରଡକ୍ସନ୍‌ ପ୍ରସ୍ତୁତ ଚଳଚ୍ଚିତ୍ର ‘ଫେରି ଆସୁଥିବି କୋଳକୁ ତୋର’ରେ ଜ୍ୟୋତି ପଣ୍ଡା ଓ ପୁନମ ମିଶ୍ରଙ୍କୁ ଦେଖିବାକୁ ମିଳିବ। ଏହି ସିନେମାରେ ଶିଶୁ କଳାକାର ସାଲୋନିଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଶିଶୁ ଭ୍ରୂଣହତ୍ୟା ସମ୍ପର୍କିତ ଏହି ସାମ୍ପ୍ରତିକ କାହାଣୀ ଦର୍ଶକଙ୍କୁ ଶିକ୍ଷଣୀୟ ବାର୍ତ୍ତା ଦେବ ବୋଲି ଆଶା କରାଯାଉଛି। ସଂଜୟ ନାୟକ ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା କରିଛନ୍ତି ରବି ମିଶ୍ର। ଏଥିରେ ଥିବା ଗୀତଗୁଡ଼ିକରେ ସ୍ବୟମ୍‌ ପାଢୀ, ନେହା ନିହାରିକା, ମଣ୍ଟୁ ଛୁରିଆ, ସିଦିସ୍ନା ବିନ୍ଧାଣୀ ଓ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି।ଚଳଚ୍ଚିତ୍ରରେ ଥିବା ସବୁ ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର।

ଏହା ଏକ ପାରିବାରିକ କାହାଣୀ ଏବଂ ଏଥିରେ ରୋମାନ୍ସ ଓ ରୋମାଞ୍ଚ ଭରି ରହିଛି। ଶିଶୁ କଳାକାରଙ୍କୁ ନେଇ ଅନେକ ପରୀକ୍ଷା ନିରୀକ୍ଷା କରିସାରିଥିବା ସଞ୍ଜୟ ନାୟକ ପୁଣିଥରେ ଏହି ସିନେମା ମାଧ୍ୟମରେ ଆଉ କିଛି ନୂଆ କରିଦେଖାଇବାକୁ ପ୍ରୟାସ କରିଛନ୍ତି। ବେଶ୍‌ କିଛିଦିନ ହେବ ସିନେମାରୁ ଦୂରେଇ ରହିଥିବା ପୁନମ ମିଶ୍ରଙ୍କୁ ଦର୍ଶକେ ପୁଣି ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ, ଏହାସହ ସିରିଏଲ୍‌ ଦୁନିଆରେ ଘରେ ଘରେ ପରିଚିତ ଜ୍ୟୋତି ପଣ୍ଡା ଏଥର ବଡ଼ ପରଦାରେ ଦେଖିବାକୁ ମିଳିବେ। ଏହାପୂର୍ବରୁ ଜି ସାର୍ଥକ ପ୍ରସ୍ତୁତ ଦିଦି ନମସ୍କାର, ଡିଟେକ୍‌ଟିଭ କରନ୍ ଅର୍ଜୁନ, ମୋ ପଣତକାନିରେ ତୁ,ଏଇ ରାକ୍ଷୀ ତୋ ରକ୍ଷା କବଚ ଆଦି ଚଳଚ୍ଚିତ୍ର ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହୋଇସାରିଛି।