ଭୁବନେଶ୍ବର: ଅକ୍ଟୋବରରେ ପ୍ରେକ୍ଷାଳୟକୁ ଆସୁଛି ‘ଦାହାନ୍’। ଓଡ଼ିଶାରେ ସ୍ବଳ୍ପ ସଂଖ୍ୟକ ହରର୍ ମୁଭି ବା ଭୟାନକ ଦୃଶ୍ୟ ସଂଯୋଜିତ ଭୌତିକ ଛବି ନିର୍ମାଣ ହୋଇଥିବା ବେଳେ ଏହି ଧାରାକୁ ଆଗେଇ ନେବ ‘ଦାହାନ୍’। ‘ପ୍ରତୀକ୍ଷା’ ଓ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ପରି ହିଟ୍ ଫିଲ୍ମ ଓ ସିରିଜର ନିର୍ଦ୍ଦେଶନା ଦେଇ ଚର୍ଚ୍ଚାକୁ ଆସିଥିବା ଅନୁପମ ପଟ୍ଟନାୟକ ଏହି ଭିନ୍ନସ୍ବାଦର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ‘ଦାହାନ୍’ ହରର୍ ଚଳଚ୍ଚିତ୍ର ଧାରାକୁ ଏକ ନୂଆ ଉଚ୍ଚତାକୁ ନେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଗୋଟିଏ ହରର ଫିଲ୍ମର ଏକ ବଡ଼ ଆକର୍ଷଣ ହେଉଛି ତାହାର ସଂଗୀତ। ସଂଗୀତ ହିଁ ଲୋକମାନଙ୍କ ମନରେ ଭୟ ସଂଚାର କରିଥାଏ। ଦାହାନ୍ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ସଂଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ। ନିଜ କ୍ଷେତ୍ରରେ ଜଣାଶୁଣା ଶକ୍ତିସ୍ବରୂପ ଦ୍ବିବେଦୀ ଏହାର ସାଉଣ୍ଡ ଡିଜାଇନ୍ କରିଛନ୍ତି। ଫିଲ୍ମର ସିଙ୍କ ସାଉଣ୍ଡ କାର୍ଯ୍ୟ କରିଛନ୍ତି ଟୁକୁନା ଚନ୍ଦ୍ରଶେଖର ଶର୍ମା। ମୋଟାମୋଟି ଫିଲ୍ମର ଶବ୍ଦଗ୍ରହଣ ଓ ପରିସ୍ଫୁଟନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଦୃଶ୍ୟ ଓ ସଂଗୀତର ମିଶ୍ରଣରେ ଦର୍ଶକକୁ ଏକ ଲୋମଟାଙ୍କୁରା ଅନୁଭବ ଦେବାରେ ‘ଦାହାନ୍’ ସଫଳ ହେବ ବୋଲି କହାଯାଇପାରେ।
‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଓ ‘ଫାଲଗୁନ ଚୈତ୍ର’ ଭଳି ଚଳଚ୍ଚିତ୍ର ଓ ନିକଟରେ ‘ଟି’ର ସଂପାଦନା କରିଥିବା ରଶ୍ମିରଂଜନ ଦାସ ଏହାର ଏଡିଟର ଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ବର୍ଷା ପଟ୍ଟନାୟକ, ପାର୍ଥ ସାରଥୀ ରାୟ, ଚୌଧୁରୀ ଜୟ ପ୍ରକାଶ ଦାସ ଓ ପ୍ରଣବ ରଥଙ୍କ ଭଳି ପରିଚିତ ଅଭିନେତାଅଭିନେତ୍ରୀ ଥିବା ବେଳେ ପ୍ରତିଭାଶାଳୀ ନବାଗତ ଅରୋଶିଖା ମିଶ୍ର, ସିଜନ ମହାପାତ୍ର ଓ ନିଶାନ୍ତ ମାଜିଥିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି।
ଭୌତିକ କାହାଣୀ ‘ଦାହାନ୍’ ଓଡ଼ିଶାର ଚଳଚ୍ଚିତ୍ରପ୍ରେମୀମାନଙ୍କୁ ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।