ଆସୁଛି ଜ୍ୟୋତି ଓ ଝିଲିକ୍‌ଙ୍କ ‘ପ୍ୟାର୍‌ ଅଲଗା ପ୍ରକାର’

ଚନ୍ଦ୍ରଶେଖରପୁର : ଦୁଇଟି ଲଗାତାର ହିଟ୍‌ ଫିଲ୍ମ ଭେଟି ଦେଇଥିବା ଓଲିଉଡ୍‌ ହିଟ୍‌ ଯୋଡ଼ି ଜ୍ୟୋତି ଓ ଝିଲିକ୍‌ଙ୍କୁ ଦେଖିବାକୁ ମିଳିବ ଆଉ ଏକ ଫିଲ୍ମରେ। ଆଜି ଓଡିଏମ୍‌ ସ୍କୁଲ୍‌ ମନ୍ଦିର ପରିସରରେ ଏହି ଫିଲ୍ମର ମହୁରତ ହୋଇଯାଇଛି। ପ୍ରଯୋଜକ ବିବେସିତା ଘଡ଼ାଇଙ୍କ ନୂଆ ଚଳଚ୍ଚିତ୍ର ‘ପ୍ୟାର୍‌ ଅଲଗା ପ୍ରକାର’ରେ ଦର୍ଶକମାନେ ପ୍ରେମ କାହାଣୀର କିଛିଟା ଅଲଗା ସ୍ୱାଦ ଦେଖିବାକୁ ପାଇବେ। ଏହାର ମୁଖ୍ୟ ଭୂମିକାରେ ନଟଖଟ ନାୟକ ଜ୍ୟୋତି ଥିବା ବେଳେ ତାଙ୍କ ବିପକ୍ଷରେ ଚକଲେଟ୍‌ ଗାର୍ଲ ଝିଲିକ୍‌ ଅଭିନୟ କରିବେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହନ୍ତି, ମିହିର ଦାସ, ଜୟୀରାମ ସାମଲ, ପ୍ରଜ୍ଞା, ଦେବୁବ୍ରହ୍ମା, ଜୀବନ ପଣ୍ଡା ଓ ଅନ୍ୟ କିଛି ନାମୀ କଳାକାର ଅଭିନୟ କରିବେ। ଏହାର ସଂଗୀତ ନିର୍ଦେଶନା ଦେଉଛନ୍ତି ଅମରେନ୍ଦ୍ର ମହାନ୍ତି। ବିନାୟକ ଫିଲ୍ମସ୍‌ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦେଶନା ଦେବେ ହିରୋ ଚୌଧୁରୀ। କାର୍ଯ୍ୟକାରୀ ପ୍ରଯୋଜକ ଅକ୍ଷୟ ପ୍ରଧାନ ଏହି ଚଳଚ୍ଚିତ୍ରର ଭଲ ବ୍ୟବସାୟ ନେଇ ଆଶା ରଖିଥିବା ବେଳେ ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ। ଗୀତରେ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଓ ଅରୁଣ ମନ୍ତ୍ରୀ ନିଜର ଶ୍ରେଷ୍ଠ ଗୀତ ଦେଇଥିବା ବେଳେ ଆଗାମୀ ଦିନରେ ଏହାର ଗୀତ ରାଜ୍ୟ ବାହାରେ ସୁଟିଂ ହେବ ବୋଲି ସୂଚନା ମିଳିଛି। ଆଜି ଚଳଚ୍ଚିତ୍ରର ମହୁରତରେ ଫିଲ୍ମର ସମସ୍ତ କଳାକାର ଓ ଟେକ୍‌ନିସିଆନ୍‌ମାନେ ଏକାଠି ହୋଇ କ୍ୟାମେରା ପୂଜା କରିବା ସହ କ୍ଲାପ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର