ନୂଆ ଚଳଚ୍ଚିତ୍ର ‘ରୁଦ୍ରାଣୀ’ର ପୋଷ୍ଟର ଲୋକାର୍ପିତ

ଅଭିନେତ୍ରୀ ଏବେ ପ୍ରଯୋଜିକା ସାଜିଛନ୍ତି। ନୂଆ ପ୍ରଡକ୍ସନ୍‌ ହାଉସ୍‌ରେ ତାଙ୍କ ଅଭିନୀତ ନୂଆ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ‘ରୁଦ୍ରାଣୀ’ର ନାମ ଘୋଷଣା ହେଇଛି। ଅଭିନେତ୍ରୀ ଝିଲିକ୍‌ଙ୍କ ନାମରେ ଏକ ଫିଲ୍ମ ପ୍ରଡକ୍ସନ୍ ହାଉସର ଘୋଷଣା ଏବଂ ସେ ଅଭିନୟ କରିବାକୁ ଯାଉଥିବା ନୂଆ ଚଳଚ୍ଚିତ୍ର ‘ରୁଦ୍ରାଣୀ’ର ପୋଷ୍ଟର ଲୋକାର୍ପିତ ହେଇଛି। ‘ରୁଦ୍ରାଣୀ’ ଚଳଚ୍ଚିତ୍ରର ନିଜେ ପରିକଳ୍ପନା କରିବା ସହିତ ପ୍ରଯୋଜନା ଭଳି ଗୁରୁ ଦାୟିତ୍ୱ ବହନ କରିଛନ୍ତି ଅଭିନେତ୍ରୀ ଝିଲିକ୍।

‘ରୁଦ୍ରାଣୀ’ ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ଦେଖିବାକୁ ମିଳିବେ ମଣ୍ଟୁ ଓ ଝିଲିକ୍। ଏ ଦୁହିଁଙ୍କ ବ୍ୟତୀତ ଲୋହିତାକ୍ଷ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁନୀତା ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଝିଲିକ୍‌ ମୋସନ ପିକଚର୍ସକୁ ସମାଜସେବୀ ପ୍ରତିମା ଘଡ଼େଇ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିବାବେଳେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ) ପ୍ରମୁଖ ଯୋଗଦେଇ ଏହାର ଶୀର୍ଷକ ଉନ୍ମୋଚନ କରିଥିଲେ। ନିଜେ ଝିଲିକ୍‌ ସାଥୀ କଳାକାରଙ୍କ ସହ ନିଜର ଫାଷ୍ଟ ଲୁକ୍‌ ଲୋକାର୍ପଣ କରିଥିଲେ।

ଝିଲିକ୍ ପ୍ରଥମେ ବଙ୍ଗୀୟ ଚଳଚ୍ଚିତ୍ର ‘ତେମାୟା ଭଲୋ ପାସି’ ଜରିଆରେ ଅଭିନୟ ଜଗତ୍‌ରେ ପ୍ରବେଶ କରିଥିଲେ। ସେହିବର୍ଷ ଅମ୍ଳାନଙ୍କ ବିପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର ‘ଟାର୍ଗେଟ୍‌’ରେ ଦର୍ଶକ ତାଙ୍କୁ ନାୟିକା ଭୂମିକାରେ ଦେଖିଥିଲେ। ଏହା ଭିତରେ ୧୪ଟି ଓଡ଼ିଆ ଚଳଚ୍ଚିତ୍ର ସହ ୭ଟି ବଙ୍ଗୀୟ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଲେଣି। ଚଳଚ୍ଚିତ୍ର ‘ରୁଦ୍ରାଣୀ’ ହେବ ତାଙ୍କର ୧୫ତମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ବ ଦିଆଯିବ। ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା। ସେହିପରି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପ ଲେଖିଛନ୍ତି ରଜନୀ ରଂଜନ। ପ୍ରଡକ୍ସନ୍‌ ଡିଜାଇନିଙ୍ଗ୍ କରିଛନ୍ତି ଋତୁରାଜ।

ସମ୍ବନ୍ଧିତ ଖବର