ଆଲବମ୍ ନାୟିକା ତଥା ଅତୀତରେ ସାହିତ୍ୟ ଦିଦି ଭୂମିକାରେ ଲୋକପ୍ରିୟ ହେଇଥିବା ଅଭିନେତ୍ରୀ ଦେବଯାନୀ ଏବେ ଏକ ନୂଆ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି, ଯାହାର ଶୀର୍ଷକ ରହିଛି ‘ଉଦଣ୍ଡୀ ସୀତା’। ଚାଷୀ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ଆଧାରିତ ହେଇଛି ଏଇ ଚଳଚ୍ଚିତ୍ରର କାହାଣୀ। ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ ଓ ଗୀତ ରଚନା କରିଛନ୍ତି ତପୁ ଭାଇ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଅଶ୍ବିନୀ ତ୍ରିପାଠୀ ପ୍ରଡକ୍ସନ୍ ନିର୍ମାଣ କରୁଥିବା ଏଇ ସିନେମାରେ ଦେବଯାନୀଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ସମରେଶ, ଇଲୁ ବାନାର୍ଜୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
ଅତୀତର ‘ଉଦଣ୍ଡୀ ସୀତା’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଅପରାଜିତା। ଏଥିରେ ଅବତାର ସିଂହ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ବରୂପ ନାୟକ। ସେଥିରେ ଥିବା ଗୀତ ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ’ ବେଶ୍ ଲୋକପ୍ରିୟ ହେଇଥିଲା। ଏବେ ସେଇ ଶୀର୍ଷକକୁ ନେଇ ପୁଣି ଏକ ଚଳଚ୍ଚିତ୍ର ତିଆରି ହେଉଥିବାରୁ ଦର୍ଶକଙ୍କ ଭିତରେ ଉତ୍ସୁକତା ଦେଖାଦେଇଛି।