ଜୀ-ସାର୍ଥକରେ ଆଜି ରିଲିଜ୍‌ ହେବ ‘ପୋଲିସ୍ ବାବୁ’

ଚଳିତ ମାସ ୧୧ ତାରିଖ ରବିବାର ସନ୍ଧ୍ୟା ୬.୩୦ ମିନିଟ୍ରେ ଜୀ-ସାର୍ଥକରେ ରିଲିଜ୍‌ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ୍ ବାବୁ’। ଜବରଦସ୍ତ ଡ୍ରାମା ଓ କମେଡିରେ ଭରପୂର ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଦେବ ବୋଲି ଏହାର ଟିମ୍ ପକ୍ଷରୁ କୁହାଯାଇଛି। ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ରଜନୀ ରଞ୍ଜନ। ଏଥିରେ ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଛନ୍ତି ଏବଂ ଗୁଡ୍‌ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଣ୍ଠଦାନ କରିଛନ୍ତି ଲିପ୍ସା, କୁଲ୍‌ଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ। ଚୁଲବୁଲି ନାୟିକା ସାୟଲ୍‌ ଓ ହ୍ୟାଣ୍ଡସମ୍ ନାୟକ ଶୁଭାଶିଷ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଜୀ-ସାର୍ଥକର ଅନେକ ସଫଳ ଚଳଚ୍ଚିତ୍ର ପରି ଏହି ଚଳଚ୍ଚିତ୍ରଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ଏବଂ ପ୍ରେକ୍ଷାଳୟ ଆଡ଼କୁ ଆକୃଷ୍ଟ କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ପରିଡ଼ା କହିଛନ୍ତି। ସବୁଠୁ ବଡ଼କଥା ହେଉଛି ଉଭୟ ଟେଲି ଧାରାବାହିକ ଓ ଚଳଚ୍ଚିତ୍ରରେ ଲୋକପ୍ରିୟ ହେଇଥିବା ମଣ୍ଟୁ ପ୍ରଥମ ଥର ପାଇଁ ପୋଲିସ୍‌ ଏବଂ କମେଡି ଭୂମିକାରେ ଦେଖିବାକୁ ମିଳିବେ। କିଛିଦିନ ପୂର୍ବରୁ ଜୀ ସାର୍ଥକ ଚ୍ୟାନେଲ୍ ଦୁର୍ଗତିନାଶିନୀ, ପାରି କରିବେ ମୋ ଭୋଳାଶଙ୍କର ଓ ଦିଦି ନମସ୍କାର ଭଳି ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କ ପ୍ରିୟଭାଜନ ହେଇଛି। ଆଶା କରାଯାଉଛି ଶୁଭାଶିଷ ଓରଫ ମଣ୍ଟୁ ଏବଂ ସାୟଲ୍ ଦର୍ଶକଙ୍କ ମନ ଜିଣିବେ।

ସମ୍ବନ୍ଧିତ ଖବର