ଭିନ୍ନ ସ୍ୱାଦର ଓଡ଼ିଆ ସିନେମା ‘ବୋଉର ହାତବାକ୍ସ’

ବୋଉ ଏମିତି ଏକ ଶବ୍ଦ ଯେଉଁଥିରେ ଯେତିକି ଆକଟ ସେତିକି ମମତା ଭରି ରହିଛି। ଯେଉଁ କଥା ଆଉ କାହାକୁ କହି ହୁଏନା ସେକଥା କେବଳ ବୋଉକୁ କହିହୁଏ। ବୋଉ ନିଜ ପିଲାଙ୍କ ପାଇଁ ତମାମ ଜୀବନ ନିଃଶେଷ କରିଦିଏ। ପିଲାଙ୍କ ଆବଶ୍ୟକତା ପୂରଣ କରିବା ଭିତରେ ବୋଉ କେବେ ନିଜ କଥା ଭାବି ନ ଥାଏ। ବରିଷ୍ଠ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଏମିତି ଏକ କାହାଣୀକୁ ନେଇ ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଛନ୍ତି। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍‌ ପ୍ରଡକ୍ସନ୍‌ ବ୍ୟାନର୍‌ରେ ନିର୍ମାଣ ହୋଇଛି ଏକ ଭିନ୍ନ ସ୍ୱାଦର ଓଡ଼ିଆ ସିନେମା ‘ବୋଉର ହାତବାକ୍ସ’।

ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଛନ୍ତି। ଏଥିରେ ଏନ୍‌ଏସ୍‌ଡିଆନ୍ ନାରାୟଣ ପତି ନିଜେ ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଏଇ ସିନେମାର ଗୀତ ରଚନା କରିଥିବା ବେଳେ କ୍ଷୀତିପ୍ରକାଶ ମହାପାତ୍ର ସଂଗୀତ ସଜାଇଛନ୍ତି। ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ହେଉଛି ‘ବୋଉର ହାତବାକ୍ସ’। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲୋପାମୁଦ୍ରା ମିଶ୍ର ଓ ରାଜେଶ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ସିନେମାଟି ଖୁବଶୀଘ୍ର ସାରା ଓଡ଼ିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଏହାର କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର