ହୋଲିରେ ଓଟିଟି ପ୍ଲାଟ୍‌ଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ ନୂତନ କାର୍ଯ୍ୟକ୍ରମ ‘ରଙ୍ଗିଲା’

ଓଟିଟି ପ୍ଲାଟ୍‌ଫର୍ମରେ ନୂତନ କାର୍ଯ୍ୟକ୍ରମ ‘ରଙ୍ଗିଲା’ରେ ହୋଲି ଉତ୍ସବର ଆୟୋଜନ ଦର୍ଶନୀୟ ହେବ। ଏକ ଆପାର୍ଟମେଣ୍ଟ ପରିସରରେ ଏହି କାହାଣୀରେ ହୋଲିର ରଙ୍ଗ ଭିତରେ ବିଭିନ୍ନ ପ୍ରକାରର ରଙ୍ଗର ଭାବପ୍ରବଣତା ଓ ଅଭିନୟ ଦେଖିବାକୁ ମିଳିବ।

ଏହାର ପ୍ରମୁଖ ନାରୀ ଚରିତ୍ର ମୀରା ଯାହାଙ୍କର ସ୍ୱାମୀ ବାହାରେ ରହନ୍ତି। ଫୋନ୍‌ରେ କଥା ହେବା ସମୟରେ ଝଗଡ଼ା ହୋଇଛି, ଏଣେ ପ୍ରେମିକ ମାନସ ପ୍ରେମିକା ପିଙ୍କି ଅପେକ୍ଷାରେ ରହିଛି। ସନି ଆଉ ରନୀ କିଛି ଅଜଣା ଦୁଷ୍ଟାମିରେ ଲାଗିଛନ୍ତି। ଏସବୁ ଭିତରେ ଆପାର୍ଟମେଣ୍ଟର ସେକ୍ରେଟାରୀ ଶ୍ରୀଯୁକ୍ତ ନାୟକ ହୋଲି ଉତ୍ସବର ସରଞ୍ଜାମ ଯୋଗାଡ଼ କରିବାରେ ବ୍ୟସ୍ତ ଅଛନ୍ତି। ହୋଲି ଉତ୍ସବ ଆରମ୍ଭ ହେଉଛି। ଆପାର୍ଟମେଣ୍ଟର ସବୁ ଲୋକ ମଉଜ ମଜଲିସ୍‌ରେ ମାତିଯାଉଛନ୍ତି। ରକ୍ଷିତ୍ ବାବୁ ମଦ ପରେ ମଦ ବୋତଲ ଟେକୁଛନ୍ତି। ଏହା ଭିତରେ ମୀରା ଆସି ପହଞ୍ଚିଯାଉଛି। ତାକୁ ଦେଖି ସନି ଆଉ ରନୀ ତା’ ପ୍ରତି ଆକୃଷ୍ଟ ହେଇଛନ୍ତି। ଏତିକିବେଳେ ସନି ଓ ରନୀ ତା’ସହିତ ଜୋର ଜବରଦସ୍ତ କିଛି ଅଘଟଣ ଘଟେଇବାକୁ ଚେଷ୍ଟା କରୁଛନ୍ତି। ମୀରା କିନ୍ତୁ ତାଙ୍କ କବଳରୁ ନିଜକୁ ରକ୍ଷା କରି ନିଜ ଫ୍ଲାଟ୍‌କୁ ଫେରିଯାଉଛି।

ଏହିପରି ହୋଲିର ରଙ୍ଗ ଉତ୍ସବ ଭିତରେ ଭାବନାର ରଙ୍ଗ ମଧ୍ୟ ଚାଲିଯାଉଛି। ଏହାକୁ ଆମେରିକା, କାନାଡ଼ା, ସିଙ୍ଗାପୁର, ମାଲେସିୟା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶର ଦର୍ଶକ ଦେଖିପାରିବେ। ଏହି ସୋ’ର ରଚନା କରିଛନ୍ତି ଶୁଦ୍ଧରାଜ ବାନାର୍ଜୀ, ସଂଳାପ ଲେଖିଛନ୍ତି ନିଶାନ୍ତ, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଏହି କାର୍ଯ୍ୟକ୍ରମଟି ମାର୍ଚ୍ଚ ୧୮ ତାରିଖରୁ ଓଟିଟି ପ୍ଲାଟ‌୍‌ଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ।

ସମ୍ବନ୍ଧିତ ଖବର