ନିଆରା ଶ୍ରଦ୍ଧାଞ୍ଜଳି: ପିତୃତ୍ବ ଦିବସ ଅବସରରେ ମୁକ୍ତିଲାଭ କଲା ନୂଆ ଗୀତ ‘ବାପା’

ଭୁବନେଶ୍ବର: କଥାରେ ଅଛି; ବାପା ହେଲେ ଜାଣିବ- ବାପା କ’ଣ , ବାପା ଗଲେ ଜାଣିବ- ବାପା କ’ଣ । ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢ଼ଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ । ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ବୀକାର କରିବା ସହିତ ତାଙ୍କୁ ଈଶ୍ବରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ବର’।

ଏହି ଗୀତଟି ପିତୃତ୍ବ ଦିବସ ଅବସରରେ ଅରମାନ୍‌ ମ୍ୟୁଜିକରେ ମୁକ୍ତିଲାଭ କରିଛି । ଗୀତଟିକୁ ରଚନା କରିଛନ୍ତି ସୁବ୍ରତ ସ୍ବାଇଁ ଓ ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ଜାପାନୀ  ଏବଂ କଣ୍ଠରେ ତୋଳି ଧରିଛନ୍ତି ସୁଗାୟକ ସବିଶେଷ।

ଏହି ଗୀତଟି ଏଇଭଳି ଏକ କବିତାରୁ ଆରମ୍ଭ ହୋଇଛି-

‘‘ଚପଲ ପିନ୍ଧୁ ନ ଥିବା ପାଦ ତମର

କେମିତି ସହେ ଏତେ କଣ୍ଟା?

ଚଷମା ପିନ୍ଧୁ ନ ଥିବା ଆଖି ତମର

କେମିତି ଲୁଚାଇ ପାରେ ଅସରା ଅସରା ଲୁହ?

ବାପା!

ତମେ ମାଟି ସହ ମାଟି ହେଲା ବେଳେ

ମଣିଷ ପରି ଦିଶନି

ଲାଗୁଥାଅ ସାକ୍ଷାତ ଈଶ୍ବର ।’’

ଏହି ଗୀତରେ ଶ୍ରୋତାକୁ ଭାବପ୍ରବଣ କରିବା ଭଳି ଉପାଦାନ ରହିଛି ।  ମୋଟାମୋଟି ଭାବେ ଏହି କବିତାଟି ପୃଥିବୀର ସବୁ ବାପାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଗୀତିକାର ସୁବ୍ରତ ସ୍ବାଇଁ।   ପିତୃତ୍ବ ଦିବସର ଅବ୍ୟବହିତ ପୂର୍ବରୁ ଗୀତର ଷ୍ଟୁଡିଓ ଭରସନଠାରୁ ଆରମ୍ଭ କରି ଲିରିକାଲ ଭରସନ ଏବଂ ଭିଡ଼ିଓ ଭରସନ ଅରମାନ ମ୍ୟୁଜିକର ୟୁଟ୍ୟୁବ ଚାନେଲରେ ମୁକ୍ତିଲାଭ କରିଛି । ତେବେ ଏହାର ଭିଡ଼ିଓ ଭରସନରେ ପ୍ରସିଦ୍ଧ ହାସ୍ୟ ଯୋଡି ପ୍ରଜ୍ଞା-ଶଙ୍କର ଅଭିନୟ କରିଥିବା ବେଳେ ନିଚ୍ଛକ ଗ୍ରାମାଞ୍ଚଳରେ ଏହାର ସୁଟିଂ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର