ଖୁବ୍ ଶୀଘ୍ର ଦର୍ଶକ ଜଣେ ନୂଆ ଖଳନାୟକଙ୍କୁ ବଡ଼ ପରଦାରେ ଭେଟିବେ। ସେ ହେଲେ କଳାହାଣ୍ଡିର ରମେଶ ନାୟକ। ତାଙ୍କର ଗୋଟିଏ ନୁହେଁ, ଦୁଇ ଦୁଇଟି ଓଡ଼ିଆ ଛବି ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ‘କେମିତି ପ୍ରେମ’ରେ ମୁଖ୍ୟ ଖଳନାୟକ ପ୍ରତାପର ଦଲାଲ୍ ରାବଣା ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ମୁଖ୍ୟ ଖଳନାୟକ ପ୍ରତାପ ପ୍ରଥମେ ନାୟକ ମନେ ହେଉଥିବା ବେଳେ କ୍ଲାଇମାକ୍ସରେ ତା’ର ଅସଲ ସ୍ବରୂପ ସାମ୍ନାକୁ ଆସିବ। ମା’ ଧନଲକ୍ଷ୍ମୀ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘କେମିତି ପ୍ରେମ’ର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର।
ସେହିପରି ‘ଲାଲମାଟି’ରେ ରମେଶ ଜଣେ ଠିକାଦାର ଭୂମିକା ତୁଲାଇଛନ୍ତି। ସେ ନାୟିକା ସହ ଦୁଷ୍କର୍ମ କରିବା ପରେ ନାୟିକା ଓ ତା’ର ପ୍ରେମିକ ମାଓବାଦୀ ପାଲଟି ଯାଆନ୍ତି ଏବଂ ଦୁଷ୍କର୍ମର ପ୍ରତିଶୋଧ ନିଅନ୍ତି। ଏଭଳି କଥାବସ୍ତୁ ଆଧାରିତ ‘ଲାଲମାଟି’ ଅମରେଶ ଜେନାଙ୍କ ପ୍ରଥମ ନିର୍ଦ୍ଦେଶିତ ଓଡ଼ିଆ ଛବି। ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ତୁଷାର ଆଚାର୍ଯ୍ୟ, ଜଗନ୍ନାଥ ସେଠ, ସୂର୍ଯ୍ୟମୟୀ, ଉଦୟ, ବିପାଶା ଓ ଶକ୍ତି ବରାଳ। ପଙ୍କଜ ଜାଲ ଏହାର ସଙ୍ଗୀତକାର। ସୁଦୂର କଳାହାଣ୍ଡି ଜିଲ୍ଲାର ବାସିନ୍ଦା ରମେଶ ଉଭୟ ସିନେମାର ରିଲିଜ୍କୁ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/04/An3QO7MvNZwNVvu6HGdA.jpg)