ଓଲିଉଡ୍ରେ ପ୍ରବେଶ କରୁଛନ୍ତି ଆଉ ଜଣେ ନବାଗତା ଅଭିନେତ୍ରୀ ସ୍ନେହା। ଅନିଶ ଏଣ୍ଟରଟେନ୍ମେଣ୍ଟ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍ ଆଲବମ୍ରେ ସେ ଅଭିନୟ କରିଛନ୍ତି। ଏହାର ଶୀର୍ଷକ ରହିଛି ‘ଚାରୁ ଚିତ୍ରଲେଖା’। ଏଥିରେ ସ୍ନେହାଙ୍କ ବିପକ୍ଷର ନାୟକ ସାଜିଛନ୍ତି ଅଙ୍କିତ। ଏହାର ପ୍ରଯୋଜନା କରିଛନ୍ତି ତପନ ଦାଶ। ଗୀତ ରଚନା କରିଛନ୍ତି ବାପୁ ଗୋସ୍ବାମୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଏବଂ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ। କୋରିଓଗ୍ରାଫି କରିଛନ୍ତି ଜୟା ବିଶ୍ବାସ।
ସୁନ୍ଦର ଚେହେରା ସାଙ୍ଗକୁ ସ୍ନେହାଙ୍କ ପାଖରେ ରହିଛି ଅଭିନୟ ନିପୁଣତା। ୨୦୧୦ରେ ସେ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ‘ମିସ୍ ବେଙ୍ଗଲ୍’ ଟାଇଟଲ୍ ବିଜୟିନୀ ହୋଇଥିଲେ। ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ବେଶ୍ କିଛିବର୍ଷ ହେବ ସକ୍ରିୟ ଅଛନ୍ତି। ତାଙ୍କୁ ରୋମର, ତନିସ୍କ, ଅଞ୍ଜଳି ଜୁଏଲର୍ସ, ଜିକେ ସାମ୍ପୋ ଆଦି ବିଜ୍ଞାପନ ଫିଲ୍ମରେ ଦେଖିବାକୁ ମିଳିଛି। ଅନିଶ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁଥିବା ନୂଆ ଚଳଚ୍ଚିତ୍ର ‘ମାୟାବୀ’ରେ ମଧ୍ୟ ସ୍ନେହାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ।