ଭୁବନେଶ୍ୱର: ଓଲିଉଡ୍ ରେ ଅନେକ ସମୟରେ ନୂଆ ଯୋଡିଙ୍କର ଆବିର୍ଭାବ ଘଟୁଛି। ଏକ ନୂଆ ଯୋଡିକୁ ଦର୍ଶକ ଆର ବର୍ଷ ଦେଖିବାକୁ ପାଇବେ । ଅବଶ୍ୟ ଏଥିରୁ ନାୟକ ନୂଆ ହେଲେ ନାୟିକା ଟିକେ ଚିହ୍ନା । ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହା ହେଲା‘ବେଷ୍ଟ୍ ଅଫ୍ ଲକ୍ ’।ଏହି ଯୋଡି ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ।
ମନୋରଞ୍ଜନ ଫିଲ୍ମସ୍ ଏଣ୍ଡ୍ ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ନିର୍ମିତ ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି। ଏତଦବ୍ୟତୀତ ଅସିତ ପତି , ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି । ଆସିବୁ କେବେ ସାଜି ମୋ ରାଣୀ, ମୁଁ ଦିଓ୍ଵାନା ତୋ ପାଇଁ , ସାହିତ୍ୟ ଦିଦି, ଆଦିର ନିର୍ଦେଶନା ଦେଇଥିବା ମନୋରଞ୍ଜନ ପାଲ୍ ଏହି ସିନେମାର ନିର୍ଦ୍ଦେଶକ ।
ଜଣାଶୁଣା ସଂଳାପକାର ଡ଼ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ଲୋକପ୍ରିୟ ସଂଗୀତକାର ଦୀପକ କୁମାର ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହାର ପୋଷ୍ଟ ପ୍ରଡକସନ୍ କାମ ସରିଛି ଏବଂ ଆର ବର୍ଷ ରିଲିଜ୍ ହେବ।