ଓଲିଉଡରେ ପୁଣି ଏକ ନୂଆ ଯୋଡି

ଭୁବନେଶ୍ୱର: ଓଲିଉଡରେ ଅନେକ ସମୟରେ ନୂଆ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଆନ୍ତି । ବେଳେବେଳେ କେତେକ ଯୋଡ଼ିକୁ ଖୁବ୍‌ ପସନ୍ଦ କରାଯାଇଥାଏ ତ ପୁଣି କେତେବେଳେ ତାହା ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ ।
ତେବେ ସେ ଯାହା ହେଉ ନା କାହିଁକି ଓଲିଉଡରେ ନୂଆ ଯୋଡିର ଧାରା ଅବ୍ୟାହତ ରହିବ ବୋଲି କୁହାଯାଉଛି । ହଁ ଓଲିଉଡର ଦୁଇ ଜଣ ନାମୀ କଳାକାର ହେଲେ ସମ୍ବିତ୍‌ ଓ ରୀୟା ଦେ । ସମ୍ବିତ୍‌ ପ୍ରେମ୍‌ ଓ୍ଵଡସ୍‌ ପ୍ରିୟା, ସଲାମ୍‌ ସିନେମା, ବାଳୁଙ୍ଗା ଟୋକା, ଗଂଜା ଲଢେଇ, ଆଶିକ୍‌ , ଓମ୍‌ , ଲେଖିଛି ନାଆଁ ତୋ’ର, ତୁମକୁ ଦେଖିଲା ପରେ ଏବଂ ହାପି ଲକି ଆଦି ଓଡ଼ିଆ ଛବିରେ ଅଭିନୟ କରି ସାରିଲେଣି ।
ଅପରପକ୍ଷରେ ରୀୟା ଦେ ୨୦୧୦ରେ ମୁକ୍ତିଲାଭ କରିଥିବା ସିନେମା ‘ ପ୍ରେମ ଅଢେଇ ଅକ୍ଷର ’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ ନାୟିକା ଭୂମିକାରେ । ଏହାପରେ ତାଙ୍କୁ ତୁ ମୋ’ ଦେହର ଛାଇ, ପାଗଳ କରିଛୁ ତୁ , ଗୋଲାପି ଗୋଲାପି, ରଘୁପତି ରାଘବ ରାଜାରାମ, କଲେଜ୍‌ ଟାଇମ୍‌ , କଳ୍‌କୀ , କ୍ରିମିନାଲ୍‌ , ହରି ଓମ୍‌ ହରି, ଧର୍ମ ଦ ଫାଇଟର୍‌ ଏବଂ କଥା ଦେଲି ମଥା ଛୁଇଁ ଆଦି ଓଡ଼ିଆ ଛବିରେ ତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଛି ।


ତେବେ ଏହି ନାୟକ-ନାୟିକାଙ୍କୁ ଏକାଠି ଆଗରୁ କୌଣସି ସିନେମାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ । ପ୍ରଥମଥର ଲାଗି ସମ୍ବିତ୍‌ -ରୀୟାଙ୍କ ଯୋଡ଼ିକୁ ପରଦାକୁ ଆଣୁଛନ୍ତି ଜଣାଶୁଣା ଅଲ୍‌ରାଉଣ୍ଡର ଶ୍ରୀକାନ୍ତ ଗୌତମ୍‌ । ହଁ ଶ୍ରୀକାନ୍ତଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ସିନେମା ‘ ଯୋଉଠି ଥିଲେ ବି ତୁ ମୋ’ର ‘ ରେ ନଜର ଆସିବେ ସମ୍ବିତ୍‌ –ରୀୟା । ଏହା ଏକ ରୋମାଣ୍ଟିକ୍‌ ଥ୍ରିଲର୍‌ । ଏହାର କାହାଣୀ, ଚିତ୍ରନାଟ୍ୟ-ସଂଳାପ ଓ ଗୀତ ମଧ୍ୟ ରଚନା କରିଛନ୍ତି ନିଜେ ଶ୍ରୀକାନ୍ତ ଗୌତମ୍‌ ।
ସମ୍ବିତ୍‌ -ରୀୟାଙ୍କ ବ୍ୟତୀତ ବବି ମିଶ୍ର, ପୁପିନ୍ଦର, ମେଘନା ମିଶ୍ର ଓ ଆର୍ଯ୍ୟନ୍‌ ଦାଶ କୁମାର ପ୍ରମୁଖଙ୍କୁ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ସନ ମ୍ୟୁଜିକ୍‌ ନିବେଦିତ ତଥା ବିଗ୍‌ ଗାଏ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଛି ଏହି ଫିଲ୍ମ ।

ସମ୍ବନ୍ଧିତ ଖବର