ମୁମ୍ବାଇ:  ସିନେ ନିର୍ମାତା କରଣ ଜୋହରଙ୍କ ଡେବ୍ୟୁ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହେ’ ଫିଲ୍ମ କାହାର ବା ପ୍ରିୟ ନ‌ୁହେଁ ଭଲା! ଏପରି ଅନେକ ଲୋକ ନିଶ୍ଚୟ ଥିବେ ଯେଉଁମାନେ ଏହି ଚଳଚ୍ଚିତ୍ରକୁ ବରମ୍ବାର ଦେଖିଥିବେ। ଚଳିତବର୍ଷ ସିନେମାଟିକୁ ୨୫ ବର୍ଷ ପୂରୁଛି।  ଅର୍ଥାତ୍ ଫିଲ୍ମ ନିର୍ମାଣ ହେବାର ୨୫ ବର୍ଷ ବିତିଗଲାଣି। ଏହି ବିଶେଷ କାରଣରୁ ନିର୍ମାତା ଏହାକୁ ପୁଣି ଥରେ ଥିଏଟର୍‌ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଧର୍ମା ପ୍ରଡକ୍ସନ୍ସର ଏହି ମନଛୁଆଁ ଫିଲ୍ମକୁ ନିର୍ମାତା ଆସନ୍ତା ୧୫ ତାରିଖରେ ପୁଣି ଥରେ ରିଲିଜ୍‌ କରାଇବାକୁ ଘୋଷଣା କରିଥିଲେ। ଶାହରୁଖ ଖାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକ ପୁଣି ଥ‌ରେ ପ୍ରେକ୍ଷାଳୟରେ ମନ ଭରି ଦେଖିପାରିବେ।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସୋ’ର ଅଗ୍ରିମ୍‌ ଟିକେଟ୍‌ ମାତ୍ର ଅଧଘଣ୍ଟା ମଧ୍ୟରେ ସବୁ ବିକ୍ରି ହୋଇଯାଇଛି। ତାହାର ଅନ୍ୟ ଏକ କାରଣ ହେଉଛି କରଣ ଜୋହର ଏହି ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ବହୁତ ଶସ୍ତା ରଖିଥିଲେ।

ଚଳଚ୍ଚିତ୍ରକୁ ୨୫ ବର୍ଷ ପୂର୍ତ୍ତି ଅବସରରେ କରଣ ଏହାର ଟିକେଟ୍‌ ଦର ମାତ୍ର ୨୫ ଟଙ୍କା ରଖିଛନ୍ତି। ଏହି ଫିଲ୍ମଟି ମୁମ୍ବାଇର ପିଭିଆର୍‌ ଆଇକନ୍‌ରେ ସଂଧ୍ୟ୍ୟା ୭ଟାରେ ରିଲିଜ୍‌‌ ହେବାକୁ ଯାଉଛି।

'ବଲିଉଡ ହଙ୍ଗାମା' ସୂତ୍ରରୁ ପ୍ରକାଶ ଯେ କମ୍ ମୂଲ୍ୟ ହେତୁ ଟିକେଟ ଖୁବ୍ ଶୀଘ୍ର ବିକ୍ରି ହୋଇଯାଇଥିଲା। ତେବେ ଶାହରୁଖ ଖାନ, ରାନୀ ମୁଖାର୍ଜୀ ଏବଂ କାଜୋଲଙ୍କୁ ଏକାଠି ଦେଖିବାକୁ କିଏ ଆଗ୍ରହୀ ହେବ ନାହିଁ କୁହନ୍ତୁ ତ? ଯଦି ଏତେ କମ୍ ମୂଲ୍ୟରେ ପ୍ରେକ୍ଷାଳୟରେ ଏତେ ଭଲ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ, ତେବେ ଏହାକୁ କିଏ ବା କାଇଁ ହାତଛଡ଼ା କରିବ?