ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଜେଲ୍ ଯାଇଥିଲେ। ସେଠାରେ ତାଙ୍କୁ ୬୩ ଦିନ ରହିବାକୁ ପଡ଼ିଲା। ଖବର ମୁତାବକ ଜେଲରେ ବିତାଇଥିବା ସେହି ଦିନଗୁଡ଼ିକୁ ନେଇ ରାଜ କୁନ୍ଦ୍ରା ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।
୨୦୨୧ ମସିହା ସେପ୍ଟେମ୍ବର ମାସରେ ରାଜ୍ କୁନ୍ଦ୍ରା ଏହି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବେଳେ ତାଙ୍କୁ ବହୁ କଷ୍ଟରେ ଜାମିନ ମିଳିଥିଲା। ସେ ‘ହଟ୍ସଟ୍ସ’ ନାମକ ଏକ ଆପ୍ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ବିତରଣ କରୁଥିବା ଅଭିଯୋଗ ହେବା ପରେ ଶିଳ୍ପାଙ୍କ ସ୍ବାମୀଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।
ନିକଟରେ ରାଜ୍ ଏହି ମାମଲାରେ ନିଜର ନୀରବତା ଭଙ୍ଗ କରିଛନ୍ତି। ସେ ତାଙ୍କର ଏକ ସୋସିଆଲ୍ ମିଡଆ ପୋଷ୍ଟ୍ରେ ଲେଖିଛନ୍ତି, ‘ଠିକ୍ ୧ ବର୍ଷ ପୂର୍ବେ ଆଜିର ଦିନରେ ମୁଁ ଜେଲରୁ ବାହାରିଥିଲି। ସବୁ ସମୟର ଖେଳ। ଖୁବ୍ ଶୀଘ୍ର ମୋତେ ନ୍ୟାୟ ମିଳିବ ଏବଂ ଶୀଘ୍ର ସତ୍ୟ ପ୍ରକାଶ ପାଇବ। ମୋର ପ୍ରଶଂସକମାନଙ୍କୁ ଧନ୍ୟବାଦ ଏବଂ ସମାଲୋଚକମାନଙ୍କୁ ଅଶେଷ ଧନ୍ୟବାଦ, କାରଣ ସେମାନେ ମୋତେ ଅଧିକ ଶକ୍ତିଶାଳୀ କରିଛନ୍ତି।’
ପିଙ୍କ୍ଭିଲାର ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାଜ୍ ୬୩ ଦିନର ଜେଲଦଣ୍ଡର କାହାଣୀ ଉପରେ ଏବେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ତାଠାରୁ ବି ବଡ଼ କଥା ହେଉଛି ରାଜ୍ ନିଜେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ।
ତେବେ ଫିଲ୍ମର କିଏ ନିର୍ଦ୍ଦେଶନା ଦେଉଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହା ମଧ୍ୟ କୁହାଯାଇଛି ଯେ ରାଜ କୁନ୍ଦ୍ରା ନିଜେ ପ୍ରଯୋଜନାଠାରୁ ଆରମ୍ଭ କରି କହାଣୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଯୋଡ଼ି ହୋଇ ରହିବେ। ଗଣମାଧ୍ୟମ ରିପୋର୍ଟଠାରୁ ଆରମ୍ଭ କରି ଜେଲରେ ବିତାଇଥିବା ଦିନ ଏବଂ ଜାମିନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରରେ ରାଜ୍ଙ୍କ ବିରୋଧରେ ରହିଥିବା ଅଭିଯୋଗ ସଂପର୍କିତ ପୂରା କାହାଣୀ ଦୃଶ୍ୟମାନ ହେବ।