ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶାଙ୍କର ବିବାହ ବିଚ୍ଛେଦ ହୋଇଯାଇଛି। ଗତବର୍ଷ ଉଭୟ ନିଜ ନିଜର ଛାଡ଼ପତ୍ର ବାବଦରେ ସୋସିଆଲ୍‌ ମିଡିଆରେ ପୋଷ୍ଟ ସେୟାର୍‌ କରି ସୂଚନା ଦେଇଥିଲେ। ଏବେ ହାର୍ଦ୍ଦିକ ବ୍ରିଟିସ୍‌ ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍ କରୁଥିବା ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ପୂର୍ବରୁ ଦୁହେଁ ସାଥିରେ ଛୁଟି କଟାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁବାଇରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଜସ୍ମିନ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଉପସ୍ଥିତ ରହି ଏହି ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି। ଫେବ୍ରୁଆରି ୨୩ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରି ଜିତିଥିବା ବେଳେ ଜସ୍ମିନ୍‌ ଭାରତକୁ ସମର୍ଥନ କରିବାକୁ ସେଠାରେ ପହଞ୍ଚିଥିଲେ। ବିଶେଷ କରି ହାର୍ଦ୍ଦିକଙ୍କ ବ୍ୟାଟିଂ ବେଳେ ଜସ୍ମିନ୍ ଖୁସିରେ ‘ଫ୍ଲାଇଙ୍ଗ କିସ୍’ ଦେଉଥିବା ସମୟରେ କ୍ୟାମେରାରେ କଏଦ ହୋଇଥିଲେ। ଏହି ଭିଡିଓ ଭାଇରାଲ୍‌ ହେବା ପ‌ରେ ଏବେ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ କ୍ରମଶଃ ଘନିଷ୍ଠ ହେଉଛି ବୋଲି କ୍ରୀଡ଼ାପ୍ରେମୀ ଆଲୋଚନା କରୁଛନ୍ତି।

ଜସ୍ମିନ୍‌ ୱାଲିଆ ୧୯୯୫ ମସିହାରେ ଇଂଲଣ୍ଡର ଏସେକ୍ସରେ ଜନ୍ମଗ୍ରହଣ କରିଥିଲେ। ପେସାରେ ସେ ଜଣେ ଗାୟିକା ଓ ଅଭିନେତ୍ରୀ। ୨୦୧୮ରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ‘ସୋନୁକେ ଟିଟୁ କି ସ୍ବିଟି’ରେ ଥିବା ଆଇଟମ୍‌ ଗୀତ ‘ବମ୍ ଡିଗି...’ରେ ସେ ନଜର ଆସି ଲୋକପ୍ରିୟ ହୋଇଥିଲେ। ପିତାମାତା ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଜସ୍ମିନ୍‌ଙ୍କର ବଲିଉଡ୍‌ ପ୍ରତି ଆକର୍ଷଣ ରହିଥିଲା। ଏଥିପାଇଁ ‌୧୦ ବର୍ଷ ବୟସରୁ ସେ ଥିଏଟର୍‌ କରିବା ଆରମ୍ଭ କରିଥିଲେ। ଏ ଭିତରେ  ଅନେକ ବ୍ରିଟିସ୍‌ ଟେଲିଭିଜନ୍‌ ସୋ’ରେ ନଜର ଆସି ସାରିଥିବା ଜସ୍ମିନ୍‌ ବଲିଉଡ୍‌ରେ ସେତେଟା ସକ୍ରିୟ ନୁହନ୍ତି।