ବଲିଉଡ୍ରେ ଏବେ ନବାଗତ ନାୟକନାୟିକାଙ୍କ ଭିଡ଼ ବଢୁଛି। ତା’ଭିତରେ ଅନେକ ଷ୍ଟାର୍କିଡ୍ ବି ଅଛନ୍ତି। ବୋନି କପୁର-ଶ୍ରୀଦେବୀଙ୍କ ଅଭିନେତ୍ରୀ କନ୍ୟା ଜାହ୍ନବୀ କପୁରଙ୍କ ପରେ ଏବେ ତାଙ୍କ ଭଉଣୀ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ। ଯଦିଓ ପୂର୍ବରୁ ଖୁସିଙ୍କ ଫିଲ୍ମ ‘ଦି ଆର୍ଚିଜ୍’ ୨୦୨୩ରେ ନେଟ୍ଫ୍ଲିକ୍ସରେ ପ୍ରଦର୍ଶିତ ହୋଇଛି; ଏବେ ତାଙ୍କର ଫିଲ୍ମ ‘ଲଭ୍ୟାପା’ ବକ୍ସ ଅଫିସ୍ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମଟି ଫେବ୍ରୁଆରି ୭ରେ ହଲ୍ରେ ରିଲିଜ୍ ହେବ ବୋଲି ସୂଚନା ରହିଛି। ଏହି ଫିଲ୍ମରେ ସେ ସୁପରଷ୍ଟାର୍ ଅମୀର ଖାଁଙ୍କ ପୁଅ ଜୁନୈଦ ଖାଁଙ୍କ ବିପକ୍ଷରେ ନଜର ଆସିବେ। ୨୦୦୦ ନଭେମ୍ବର ୫ରେ ଜନ୍ମିତ ଖୁସିଙ୍କର ମୁମ୍ବାଇର ଇକୋଲ୍ ମୋଣ୍ଡିଏଲ୍ ୱାର୍ଲ୍ଡ ସ୍କୁଲ୍ରେ ପାଠପଢ଼ା ଆରମ୍ଭ ହୋଇଥିଲା।
ଏହାପରେ ସେ ୨୦୧୯ରେ ନ୍ୟୁୟର୍କ ଫିଲ୍ମ ଏକାଡେମିରେ ବର୍ଷିକିଆ ଅଭିନୟ ପାଠ୍ୟକ୍ରମ କରିଥିଲେ। ଯଦି ଆମେ ତାଙ୍କର ଅଭିନୟ ଯାତ୍ରାକୁ ପରଖିବା ତେବେ ଦେଖିବା, ସେ ୨୦୧୬ରେ ୟୁଟ୍ୟୁବ୍ ସର୍ଟଫିଲ୍ମ ‘ଭସ୍ମ ହୋ: ପ୍ୟାର୍କା ଟକ୍ରାର୍’ ଜରିଆରେ ଅଭିନୟରେ ପାଦ ରଖିଥିଲେ। ଏହାପରେ ସେ ଆଉ ଏକ ସର୍ଟଫିଲ୍ମ ‘ସ୍ପିକ୍ ଅପ୍’ରେ ବି ନଜର ଆସିଥିଲେ। ୨୦୨୩ରେ ତାଙ୍କୁ ‘ଦି ଆର୍ଚିଜ୍’ରେ ଦେଖିବାକୁ ମିଳିଥିବା ବେଳେ ଏବେ ‘ଲଭ୍ୟାପା’ରେ ବଡ଼ ପରଦାକୁ ଆସୁଛନ୍ତି ଖୁସି। ମା’ ଶ୍ରୀଦେବୀଙ୍କ ପରି ଜଣେ ସଫଳ ଅଭିନେତ୍ରୀ ହେବାକୁ ଖୁସି ଛୋଟବେଳୁ ସ୍ବପ୍ନ ଦେଖିଥିବା ବେଳେ ଏବେ ତାହା ସାକାର ହେବାକୁ ଯାଉଛି।