ଏବେ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ରର କୋଙ୍କଣ ବେଳାଭୂମି ଅଞ୍ଚଳର ଶାନ୍ତ ସହର ଆଲିବାଗ୍। କୋଳାହଳମୟ ମୁମ୍ବାଇର ବ୍ୟସ୍ତବହୁଳ ଜୀବନରୁ ବାହାରି ଏଠିକି ଛୁଟି ଆସୁଛନ୍ତି ବହୁ ବଲିଉଡ୍ ତାରକା। ଆଉ ତାରକାଙ୍କ ବିଳାସମୟ ବଙ୍ଗଳା ଓ ଆକର୍ଷଣୀୟ ଡିଜାଇନ୍ର ଭିଲ୍ଲା ଆଲିବାଗ୍କୁ ଦେଇଛି ଆଲିଶାନ୍ ଚେହେରା।
ଶାହରୁଖ୍ଙ୍କ ଦେଜା ଭୁ ଫାର୍ମ୍ସ
ଆଲିବାଗ୍ର ବିଳାସମୟ ବଙ୍ଗଳା କଥା ଆସିଲେ ପ୍ରଥମ ସ୍ଥାନରେ ରହିବେ କିଙ୍ଗ୍ ଖାନ୍ ଶାହରୁଖ୍। ସେଠାରେ ତାଙ୍କର ସୁଦୃଶ୍ୟ ଘରର ନାମ ଦେଜା ଭୁ ଫାର୍ମ୍ସ୍। ଛୁଟି କଟାଇବାକୁ ବା ପାର୍ଟି କରିବାକୁ ପରିବାର ସହ ଏଠାକୁ ଆସନ୍ତି ସେ। ଖାନ୍ ପରିବାରର ଦେଜା ଭୁ ଫାର୍ମ୍ସ ୧୯,୯୬୦ ବର୍ଗମିଟର୍ ପରିମିତ ସ୍ଥାନରେ ଅବସ୍ଥିତ। ଶାନ୍ତ ବାତାବରଣର ସହ ଅତ୍ୟାଧୁନିକ ସୁବିଧା ଥିବା ଏହି ଫାର୍ମ ହାଉସ୍ରେ ଶାହରୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ୍ ଅନେକ ବଲିଉଡ୍ ସମାବେଶ ଆୟୋଜନ କରିଛନ୍ତି। ଏଠାରେ ଏକ ଆଉଟ୍ଡୋର୍ ସୁଇମିଂ ପୁଲ୍, ଟ୍ରି ହାଉସ୍ ଓ ଏକ ହେଲିପ୍ୟାଡ୍ ରହିଛି।
ବିରୁଷ୍କାଙ୍କ ସିରିନ୍ ହେଭେନ୍
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲିଙ୍କର ଆଲିବାଗ୍ରେ ରହିଛି ଏକ ଦାମୀ ଘର। ସୂଚନା ଅନୁଯାୟୀ, ବିରାଟ ଓ ଅନୁଷ୍କାଙ୍କ ‘ସିରିନ୍ ହେଭେନ୍’ ୧୦,୦୦୦ ବର୍ଗଫୁଟ୍ ଜମି ଉପରେ ନିର୍ମିତ ଏବଂ ବିଶ୍ବପ୍ରସିଦ୍ଧ ଆର୍କିଟେକ୍ଟ ‘ସାଓଟା’ ଏହାର ଡିଜାଇନ୍ କରିଛି। ଏହାକୁ ଲାଗି ୧୯ କୋଟି ଟଙ୍କା ମୂଲ୍ୟର ୮ ଏକର ଜମି ମଧ୍ୟ କିଣିଛନ୍ତି ବିରୁଷ୍କା। ସୁସେନ୍ ଖାନ୍ଙ୍କ ଦ୍ୱାରା ଇଣ୍ଟେରିୟର୍ ଡିଜାଇନ୍ ହୋଇଥିବା ଏହି ଭିଲ୍ଲାରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି।
ଦୀପିକା-ରଣବୀରଙ୍କ କୋଷ୍ଟାଲ୍ ରିଟ୍ରିଟ୍
ଗତବର୍ଷ ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଆଲିବାଗ୍ରେ ୨.୨୫ ଏକର ଜମିରେ ୧୮,୦୦୦ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ନିର୍ମିତ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଖରିଦ କରିଛନ୍ତି। ୫ କୋଠରିବିଶିଷ୍ଟ ଏଇ ଅତ୍ୟାଧୁନିକ ବଙ୍ଗଳା କିହିମ୍ ବେଳାଭୂମିଠାରୁ ମାତ୍ର ୧୦ ମିନିଟ୍ ଦୂରତ୍ବରେ ଅବସ୍ଥିତ। ୨୦୨୧ରେ ୨୨କୋଟି ଟଙ୍କା ଦେଇ ଦୀପିକା-ରଣବୀର ଏହାକୁ କିଣିଥିବା ସୂଚନା ରହିଛି।
ରାହୁଲ୍ ଖାନ୍ନାଙ୍କ ଟ୍ରାଙ୍କୁଇଲ୍ ହେଭେନ୍
ଯଦିଓ ଅଭିନେତା ରାହୁଲ୍ ଖାନ୍ନା ନିକଟରେ କୌଣସି ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାରେ ନାହାନ୍ତି, କିନ୍ତୁ ତାଙ୍କର ଆଲିବାଗ୍ ବଙ୍ଗଳା ବେଶ୍ ଚର୍ଚ୍ଚିତ। ପିଲାଦିନରୁ ସେ ବାରମ୍ବାର ଆଲିବାଗ୍ ବୁଲି ଆସୁଥିଲେ ଏବଂ ପରେ ସେଠାରେ ସେ ଏକ ଭବ୍ୟ ବଙ୍ଗଳା କିଣିଛନ୍ତି। ପ୍ରାୟତଃ ତାଙ୍କର ଦୁଇ ପୋଷା କୁକୁରଙ୍କ ସହିତ ରାହୁଲ୍ ମୁମ୍ବାଇର କୋଳାହଳରୁ ଦୂରେଇ ଏଠି ଛୁଟି ଉପଭୋଗ କରନ୍ତି।
ଅମିତାଭ ବଚ୍ଚନ ଓ କ୍ରିତି ସାନନ୍ ପଡ଼ୋଶୀ
ମୁମ୍ବାଇରେ ଏକାଧିକ ଦାମୀ ବଙ୍ଗଳା ଓ ଫ୍ଲାଟ୍ ଥିବା ବିଗ୍ ବି ଅମିତାଭ ବଚ୍ଚନ୍ ଗତବର୍ଷ ୧୦ କୋଟି ଟଙ୍କା ଦେଇ ଆଲିବାଗ୍ରେ ୧୦,୦୦୦ ବର୍ଗଫୁଟ୍ ପରିମିତ ଜମି କ୍ରୟ କରିଛନ୍ତି। ଅଭିନେତ୍ରୀ କ୍ରିତି ସାନନ୍ ସମାନ ଅଞ୍ଚଳରେ ୨୦୦୦ ବର୍ଗଫୁଟ୍ ଆକାରର ଏକ ପ୍ଲଟ୍ କିଣିଛନ୍ତି। ସେହିପରି ୨୦୨୪ରେ ‘ଦ ଆର୍ଚ୍ଚିସ୍’ ଜରିଆରେ ବଲିଉଡ୍ ଡେବ୍ୟୁ କରିଥିବା ସୁହାନା ଖାନ୍ ୯.୫ କୋଟି ଟଙ୍କା ବ୍ୟୟରେ ସେଠାରେ ଏକ ଫାର୍ମହାଉସ୍ କିଣିଛନ୍ତି।