ସିନେମା ହଲ୍‌ରେ ଦର୍ଶକଙ୍କ ମନ କିଣିବା ପରେ ବର୍ତ୍ତମାନ ଛୋଟ ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅନୀତ୍‌ ପଡ୍ଡା। ମୋହିତ୍‌ ସୂରୀଙ୍କ ନିର୍ଦ୍ଦେଶିତ ତଥା ୟଶ୍‌ରାଜ୍‌ ଫିଲ୍ମସ୍‌ ପ୍ରଯୋଜିତ ‘ସୈୟାରା’ ତାଙ୍କୁ ରାତାରାତି ସୁପର୍‌ଷ୍ଟାର୍‌ କରିଦେଇଛି କହିଲେ ଭୁଲ୍‌ ହେବନାହିଁ। ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍‌ସନ୍‌ ଏବେ ୫୦୦ କୋଟି ଛୁଇଁବାକୁ ଯାଉଛି। ଆଗରୁ ବିଭିନ୍ନ ବିଜ୍ଞାପନ ଏବଂ ୱେବ୍‌ସିରିଜ୍‌ରେ କାମ କରୁଥିବା ଅନୀତ୍ ଆଜି ବଲିଉଡ୍‌ର ପ୍ରତିଶ୍ରୁତିସଂପନ୍ନ ନାୟିକା। ଫିଲ୍ମରେ ଆହାନ୍‌ ପାଣ୍ଡେଙ୍କ ସହ ତାଙ୍କର କେମେଷ୍ଟ୍ରିକୁ ବହୁତ ପସନ୍ଦ କରାଯାଉଛି। ‘ସୈୟାରା’ର ସଫଳତା ପରେ ଏବେ ଅନୀତ୍‌ ପଡ୍ଡାଙ୍କ ପରବର୍ତ୍ତୀ ରିଲିଜ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି।

Advertisment

ଅନୀତ୍‌ ପଡ୍ଡାଙ୍କ ପରବର୍ତ୍ତୀ ଫିଲ୍ମ ଓଟିଟିରେ ରିଲିଜ୍ ହେବ। ନିତ୍ୟା ମେହେରା ଓ ତାଙ୍କ ସ୍ୱାମୀ କରଣ କପାଡ଼ିଆଙ୍କ ନିର୍ଦ୍ଦେଶିତ ‘ନ୍ୟାୟ’ରେ ସେ ଜଣେ ‌ଯୌନ ନିର୍ଯାତନା ପୀଡ଼ିତା ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅନୀତ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ ଫାତିମା ସନା ଶେଖ୍। ‘ସୈୟାରା’ ଗାର୍ଲ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେବାପରେ ନ୍ୟାୟ ପାଇଁ ଲଢୁଥିବା ଦେଖିବାକୁ ମିଳିବ ଏଥିରେ। ଅନ୍ୟପକ୍ଷରେ, ପୁଲିସ ଅଧିକାରୀ ଚରିତ୍ରରେ ଥିବା ଫାତିମା ଏହି ଲଢ଼େଇରେ ତାଙ୍କୁ ସହାୟତା କରୁଛନ୍ତି। ଏମାନଙ୍କ ବ୍ୟତୀତ ଏହି ୱେବ୍‌ ସିରିଜ୍‌ରେ ଅର୍ଜୁନ ମାଥୁର୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅନୀତ୍‌ଙ୍କୁ ଚର୍ଚ୍ଚାକୁ ଆଣିଥିବା ୱେବ୍‌ ସିରିଜ୍‌ ‘ବିଗ୍‌ ଗାର୍ଲସ୍‌ ଡୋଣ୍ଟ୍‌ କ୍ରାଏ’ର ପ୍ରଯୋଜିକା ଓ ନିର୍ଦ୍ଦେଶିକା ଥିଲେ ନିତ୍ୟା।