ନିଜର ବିନ୍ଦାସ୍ ଅନ୍ଦାଜ ପାଇଁ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ବେଶ୍ ଜଣାଶୁଣା। ସେ ଥରେ ରାଗିଲେ, ମୁହଁକୁ ଯାହା ଆସେ କହିଦିଅନ୍ତି। ଏମିତିକି ନକହିବା କଥା ବି ପାଟିରୁ ବାହାରିଆସେ। ନିଜ କ୍ୟାରିୟର୍ ଆରମ୍ଭ ସମୟରେ ବଲିଉଡ୍ର ସୁପର୍ଷ୍ଟାର୍ ସଲମାନ୍ ଖାନ୍ଙ୍କୁ ଜଣେ ଖରାପ ଅଭିନେତା ବୋଲି କହିଥିବା କରୀନା ଏକଦା ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ବି ଗଣମାଧ୍ୟମରେ ଜଣେ ଦ୍ବନ୍ଦ୍ବରେ ରହୁଥିବା ବ୍ୟକ୍ତି (କନ୍ଫ୍ୟୁଜ୍ଡ୍ ମ୍ୟାନ୍) ବୋଲି କହିବାକୁ ପଛାଇ ନଥିଲେ।
‘ହମ୍ ଦିଲ୍ ଦେ ଚୁକେ ସନମ୍’ ସିନେମାରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଚରିତ୍ର ପାଇଁ ଭଂସାଲୀଙ୍କ ପ୍ରଥମ ପସନ୍ଦ ଥିଲେ କରୀନା। ମାତ୍ର କରୀନା ସେ ସମୟରେ ସୋବିଜ୍ ପାଇଁ ନିଜକୁ ପ୍ରସ୍ତୁତ କରି ନଥିଲେ। ଯଦି ସେ ରାଜି ହୋଇଥାନ୍ତେ ତ ତାହା ହୋଇଥାନ୍ତା କରୀନାଙ୍କ ଡେବ୍ୟୁ ଫିଲ୍ମ। ହେଲେ ସେ ପ୍ରସ୍ତୁତ ନଥିବାରୁ ଭଂସାଲୀ ନୀଳନୟନାଙ୍କୁ ବାଛିଥିଲେ ସିନେମାର ନାୟିକା ଭୂମିକାରେ।
ପୁଣି ପରବର୍ତ୍ତୀ ସମୟରେ ‘ଦେବ୍ଦାସ୍’ର ପାରୋ ଭୂମିକା ପାଇଁ କରୀନାଙ୍କୁ ନେବାକୁ ଚାହୁଁଥିଲେ ଭଂସାଲୀ। କରୀନା ନିଜକୁ ସେହି ଚରିତ୍ର ପାଇଁ ଉପଯୁକ୍ତ ଭାବୁ ନଥିଲେ। ମାତ୍ର ଭଂସାଲୀ ତାଙ୍କୁ ବୁଝାଇଶୁଝାଇ ରାଜି କରାଇଲେ ଏବଂ ବେବୋ ସେହି ସିନେମା ପାଇଁ ସ୍ବାକ୍ଷର ବି କରିଥିଲେ। ମାତ୍ର ସିନେମା ପାଇଁ ଫଟୋସୁଟ୍ ସରିବା ପରେ କରୀନା ଜାଣିବାକୁ ପାଇଲେ ଯେ ଭଂସାଲୀ ଏହି ଚଳଚ୍ଚିତ୍ର ପାଇଁ ଐଶ୍ବର୍ଯ୍ୟାଙ୍କୁ ବାଛିଛନ୍ତି। ଏହି କଥାରେ ଭଂସାଲୀଙ୍କ ଉପରେ କରୀନାଙ୍କ ରାଗିବା ବି ସ୍ବାଭାବିକ ଥିଲା। ସେଥିପାଇଁ ସେ ରାଗରେ ଭଂସାଲୀଙ୍କୁ ଅଣପେସାଦାର ଓ ସର୍ବଦା ଦ୍ବନ୍ଦ୍ବରେ ଥିବା ବ୍ୟକ୍ତି ବୋଲି ଗଣମାଧ୍ୟମରେ କହିଥିଲେ। ତେବେ ଘଟଣାଚକ୍ରରେ ଐଶ୍ବର୍ଯ୍ୟା ହିଁ ହେଉଛନ୍ତି ସେହି ନାୟିକା, ଯିଏ କରୀନାଙ୍କୁ ଦୁଇ ଦୁଇ ଥର ରିପ୍ଲେସ୍ କରିଥିଲେ।