‘ଦକାଶ୍ମୀର ଫାଇଲ୍‌ସ୍‌’ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ପିରିୟଡ୍‌ ଫିଲ୍ମ ‘ଦ ବେଙ୍ଗଲ୍‌ ଫାଇଲ୍‌ସ୍‌’ ଏବେ ବିବାଦ ଘେରକୁ ଆସିଛି। ୧୯୪୬ ମସିହାରେ ପଶ୍ଚିମବଙ୍ଗରେ ସଂଗଠିତ ସାଂପ୍ରଦାୟିକ ହିଂସା କାହାଣୀ ଆଧାରିତ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ପ୍ରଦର୍ଶନକୁ କୋଲ୍‌କାତାରେ ବନ୍ଦ କରାଯିବା ପରେ ବିବାଦ ସାମ୍ନାକୁ ଆସିଛି। ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରୱାଲ୍‌ ଓ ପଲ୍ଲବୀ ଜୋଶୀଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ‘କାଲ୍‌କାଟା କିଲିଙ୍ଗ୍‌ସ୍‌’ ଭାବେ କୁଖ୍ୟାତ ହିଂସାକାଣ୍ଡ ସମୟରେ ମୁଖ୍ୟତଃ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଯାଇଛି। ୧୯୪୬ ମସିହା ଅଗଷ୍ଟ ୧୬ରେ ମୁସ୍‌ଲିମ୍‌ ଲିଗ୍‌ ଦ୍ୱାରା ଏକ ପୃଥକ ମାତୃଭୂମି ପାଇଁ ଆହ୍ୱାନ ଦିଆଯିବା ପରେ ଅବିଭାଜିତ ବଙ୍ଗର କଲିକତାରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା। ଏହି ଗଣସଂହାର ହେତୁ ବହୁ ଧନଜୀବନ ନଷ୍ଟ ହୋଇଥିଲା। ଫିଲ୍ମରେ କାହାଣୀର ମୁଖ୍ୟ ଚରିତ୍ର ଭାବେ ଗୋପାଳ ମୁଖାର୍ଜୀଙ୍କୁ ଉପସ୍ଥାପିତ କରାଯାଇଛି। ସାଂପ୍ରଦାୟିକ ହିଂସା ସୃଷ୍ଟି ହେବା ପରେ ସେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଯୁବକମାନଙ୍କୁ ସଂଗଠିତ କରି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଥିରେ ଥିବା କେତେକ ସଂଳାପକୁ ନେଇ ବିବାଦ ଦେଖାଦେଇଛି। ଉଦାହରଣ ସ୍ବରୂପ, “ୟେ ପଶ୍ଚିମ୍ ବଙ୍ଗାଲ୍ ହୈ, ୟାହାଁ ଦୋ ସମ୍ବିଧାନ୍‌ ଚଲ୍‌ତା ହୈ, ଏକ ହିନ୍ଦୁଓ କା, ଏକ ମୁସଲ୍‌ମାନୋ କା।”

Advertisment

ସେହିପରି ଏହି ଫିଲ୍ମର ଟ୍ରେଲର୍‌ରେ ମୁଖ୍ୟ ଚରିତ୍ର ଗୋପାଳ ମୁଖାର୍ଜୀଙ୍କୁ ଉପସ୍ଥାପିତ କରିବା ବେଳେ ‘‘ଏକ୍‌ ଥା କସାଇ ‌ଗୋପାଲ୍‌ ପାଥୋ’ ବାକ୍ୟର ବ୍ୟବହାରକୁ ବିରୋଧ ହୋଇଛି। ଗୋପାଳଙ୍କ ନାତି ଶାନ୍ତନୁ ମୁଖାର୍ଜୀ ଫିଲ୍ମର ନିର୍ଦ୍ଦେଶକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ଦାଏର କରିଛନ୍ତି। ‌ସେ ଅଭିଯୋଗ କରିଛନ୍ତି, ‘‘ଆମ ଜେଜେ ପେସାରେ ଜଣେ କଂସେଇ ନଥିଲେ। ସେ ଜଣେ ପହିଲ୍‌ମାନ୍‌ ଥିଲେ। ହିନ୍ଦୁମାନଙ୍କ ସୁରକ୍ଷା ଲାଗି ଗଠିତ ଅନୁଶୀଳନ ସମିତି ପରିଚାଳନାରେ ସକ୍ରିୟ ଭୂମିକା ନେଇଥିଲେ। ନିର୍ଦ୍ଦେଶକ ଜେଜେଙ୍କ ଚରିତ୍ରକୁ ବିକୃତ ଭାବେ ଉପସ୍ଥାପିତ କରିଛନ୍ତି। ସେ ଇତିହାସକୁ ଠିକ୍‌ ଅଧ୍ୟୟନ କରିନାହାନ୍ତି।’’ ‘ଦ ବେଙ୍ଗଲ୍‌ ଫାଇଲ୍‌ସ୍‌’ରେ ମିଥୁନ୍‌ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଅନୁପମ୍‌ ଖେର୍‌ ଓ ଦର୍ଶନ୍‌ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ-ନିର୍ଦ୍ଦେଶିତ ଏହି ଛବି ସେପ୍‌ଟେମ୍ବର୍‌ ୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଏହାର ବିତରକ ଜି ଷ୍ଟୁଡିଓଜ୍‌ ଘୋଷଣା କରିଛି।