ଅଧିକାଂଶ ସିନେମାରେ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଗ୍ଲାମର୍ସ୍ ଲୁକ୍ରେ ଦେଖିବାକୁ ମିଳିଛି। ମାତ୍ର ମଣିରତ୍ନମ୍ଙ୍କ ‘ରାବଣ’ ଫିଲ୍ମ ଏହାର ବ୍ୟତିକ୍ରମ। ଏଥିରେ ସେ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲେ। ଐଶ୍ବର୍ଯ୍ୟା ଏକ ସାକ୍ଷାତ୍କାରରେ କହିଥିଲେ ଯେ ତାଙ୍କୁ ପ୍ରତିଦିନ ସକାଳ ୫ଟାରୁ ଉଠାଇ ଦିଆଯାଉଥିଲା ଓ ସୁଟିଂ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଉଥିଲା। ତେବେ ମଜାଦାର କଥା ହେଉଛି;ଐଶ୍ ସକାଳୁ ଉଠି ଗାଧୋଇ ସାରି ପ୍ରସ୍ତୁତ ହୋଇ ସୁଟିଂ ସେଟସ୍କୁ ଯାଉଥିଲେ ଏବଂ ସେଠି ପହଞ୍ଚିବା ପରେ ତାଙ୍କୁ ନିଜ ଚେହେରାରେ ମାଟି, କାଦୁଅ ବୋଳିବାକୁ ପଡୁଥିଲା। ଖାଲି ସେତିକି ନୁହେଁ, ସୁଟିଂ ପାଇଁ ତାଙ୍କୁ ବାରମ୍ବାର ଓଦା ହେବାକୁ ପଡ଼ୁଥିଲା ଓ ଆବଶ୍ୟକସ୍ଥଳେ ଚରିତ୍ରର ଆବଶ୍ୟକତାକୁ ଚାହିଁ ଚିରା ପୋଷାକ ବି ପିନ୍ଧିବାକୁ ହେଉଥିଲା। ବଲିଉଡ୍ର ଗ୍ଲାମର୍ ଗାର୍ଲଙ୍କ ପାଇଁ ଏହା ଏକ ଭିନ୍ନ ଅନୁଭୂତି ଥିଲା।
ସେ ପୂରା କାଦୁଅରେ ଲଟପଟ ହୋଇ ‘ରାବଣ’ର ହିନ୍ଦୀ ଓ ତାମିଲ୍ ଭର୍ସନ୍ ପାଇଁ ସୁଟିଂ କରିଥିଲେ। ଏହି ସିନେମାରେ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ ବି ତାଙ୍କର ସହ-କଳାକାର ଥିଲେ। ଦୁହିଁଙ୍କ ପାଇଁ ଫିଲ୍ମଟି ଏକ ବଡ଼ ଆହ୍ବାନ ଥିଲା। ‘ରାବଣ’ ଐଶ୍ ଓ ଅଭିଷେକଙ୍କର ଅଷ୍ଟମ ମିଳିତ ସିନେମା ଥିଲା।