ପୁଣି ବିଶ୍ବ ଦରବାରରେ ଚମକିଛନ୍ତି ଆଉ ଜଣେ ଓଡ଼ିଅା ଝିଅ ପ୍ରୀତି ପାଣିଗ୍ରାହୀ। ସନ୍ଡାନ୍ସ ଚଳଚ୍ଚିତ୍ର ଉତ୍ସବ-୨୦୨୪ରେ ନିଜ ଅଭିନୟ ପାଇଁ ସେ ପୁରସ୍କୃତ ହୋଇଛନ୍ତି। ଏହି ଚଳଚ୍ଚିତ୍ର ଉତ୍ସବରେ ତାରକା ଦମ୍ପତି ରିଚା ଚଢ଼ା ଓ ଅଲ୍ଲି ଫଜଲ୍ଙ୍କ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ‘ଗର୍ଲସ୍ ୱିଲ୍ ବି ଗର୍ଲସ୍’ ଦୁଇଟି ବର୍ଗରେ ପୁରସ୍କାର ହାତେଇଛି। ସୂଚୀ ତଲାତୀଙ୍କଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ‘ବିଶ୍ବ ସିନେମା ନାଟକୀୟ ପ୍ରତିଯୋଗିତାରେ ଦର୍ଶକ ପୁରସ୍କାର’ ଜିତିଥିବା ବେଳେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ତଥା ଓଡ଼ିଆ ଝିଅ ପ୍ରୀତି ନିଜ ଅଭିନୟ ପାଇଁ ‘ବିଶ୍ବ ସିନେମା ନାଟକୀୟ ସ୍ବତନ୍ତ୍ର ବିଚାରକ ପୁରସ୍କାର’ ଜିତିଛନ୍ତି।
ପ୍ରୀତିଙ୍କର ପିଲାଟି ଦିନରୁ ଥିଲା ଅଭିନୟ, ନୃତ୍ୟ ଓ ଗାୟନ ପ୍ରତି ବିଶେଷ ଆକର୍ଷଣ । ସ୍କୁଲରେ ପଢ଼ୁଥିବା ସମୟରୁ ସେ ଏସବୁ କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରତିପାଦନ କରିଥିଲେ। ୨୦୧୫ରେ ତାଙ୍କୁ ସୃଜନଶୀଳ ପ୍ରଦର୍ଶନ ଲାଗି ଜାତୀୟ ବାଲ୍ଶ୍ରୀ ପୁରସ୍କାର ମିଳିଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିବା ସମୟରେ ଅଭିନୟ ଓ ଫିଲ୍ମନିର୍ମାଣ ଦିଗରେ ମନୋନିବେଶ କରିଥିଲେ। ସେ ପେସାଦାର ଥିଏଟର ସହ ସଂପୃକ୍ତ ରହି ୧୦ଟି କ୍ଷୁଦ୍ରଫିଲ୍ମ ନିର୍ମାଣ କରିଛନ୍ତି। ସଂପ୍ରତି ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ୍ ଟିଭି ଇନଷ୍ଟିଚ୍ୟୁଟ୍ରେ ପ୍ରୀତି ଆନିମେସନ୍ ଓ ସିନେମାରେ ପିଜି ଡିପ୍ଲୋମା କରୁଛନ୍ତି। ୨୦୨୩ରେ ତାଙ୍କ ଅଭିନୀତ ‘ଜଗ୍ ପୁରନ୍’ ପରଦାକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/fhsfhhfhfh.jpg)