ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ ସରକାରୀ ବା ବେସରକାରୀ ସ୍ତରରେ ଯେତେ ଯାହା ପଦକ୍ଷେପ ନେଲେ ବି ଆମ ଅଲକ୍ଷ୍ୟରେ କେଉଁଠି ନା କେଉଁଠି ପୁରୁଷପ୍ରାଧାନ୍ୟ ସମାଜର ବୀଜ ବୁଣି ହୋଇଯାଉଛି। ମାତ୍ର ମହିଳାମାନଙ୍କ ପ୍ରଥମ ସପିଂ ୱେବ୍ସାଇଟ୍ ‘ଲାଇମ୍ରୋଡ୍’ର ସହପ୍ରତିଷ୍ଠାତ୍ରୀ ତଥା ସିଇଓ ଶୁଚି ମୁଖାର୍ଜୀଙ୍କ ଭଳି କ୍ବଚିତ୍ ମହିଳା ଅଛନ୍ତି ଯେଉଁମାନେ ପୁରୁଷଙ୍କ ସମକକ୍ଷ କାର୍ଯ୍ୟ କରି ଲୈଙ୍ଗିକ ଏକତାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି। ଏପରିକି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେଭଳି ମହିଳା ଯାବତୀୟ ପ୍ରତିକୂଳ ଆହ୍ବାନକୁ ଆମନ୍ତ୍ରଣ କରି ନିଜର ସଂଗଠନ ଚଳାଇବାରେ ସିଦ୍ଧହସ୍ତ ସାବ୍ୟସ୍ତ ହୋଇଛନ୍ତି। ହରିଆଣାର ଏକ ମଧ୍ୟବିତ୍ତ ପରିବାରରେ ୧୯୭୩ ଜୁଲାଇ ୬ ତାରିଖରେ ଜନ୍ମିତ ଶୁଚି ପିଲାବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ। ଦିଲ୍ଲୀ ଷ୍ଟିଫେନ୍ସ କଲେଜ୍ରୁ ଅର୍ଥନୀତିରେ ସ୍ନାତକ ସାରି ସେ ୟୁକେର ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର କରିଥିଲେ। ଏହାପରେ ସେ ପର୍ଯ୍ୟାୟ କ୍ରମରେ ବିଭିନ୍ନି କମ୍ପାନିର ଉଚ୍ଚ ପଦବିରେ ଅବସ୍ଥାପିତ ଥିଲେ। ବିଭିନ୍ନ ଆନ୍ତର୍ଜାତିକ କମ୍ପାନିରେ ତାଙ୍କର ଏପରି ବ୍ୟାବସାୟିକ ଦକ୍ଷତା ପାଇଁ ୨୦୦୮ରେ ତାଙ୍କୁ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ନ୍ୟୁହାମ୍ ଆସୋସିଏଟ୍ସର ଜଣେ ନିର୍ବାଚିତ ସଭ୍ୟା ଭାବେ ମନୋନୀତ କରାଯାଇଥିଲା।
ସେହିପରି ୨୦୧୦ରେ ପ୍ୟାରିସ୍ ଠାରେ ତାଙ୍କୁ ଗ୍ଳୋବାଲ୍ ଓମେନ’ସ ଫୋରମ୍ ପକ୍ଷରୁ ‘ରାଇଜିଂ ଟ୍ୟାଲେଣ୍ଟ୍-ଗ୍ଲୋବାଲ୍ ଲିଡର୍ସ ଅଣ୍ଡର ଫର୍ଟି’ର ୧୫ ଜଣଙ୍କ ଭିତରେ ବଛାଯାଇଥିଲା। ଏହି ଅବସରରେ ତାଙ୍କ ମନରେ ନିଜେ କୌଣସି ଉଦ୍ୟୋଗ କରିବା ପାଇଁ ଅଭିଳାଷ ଜାଗ୍ରତ ହୋଇଥିଲା। ତେବେ ତାହାକୁ ଫଳବତୀ କରିବା ଲାଗି ସେ ହରିଆଣାର ଗୁରୁଗ୍ରାମ ଠାରେ ୨୦୧୨ ମସିହାରେ ମହିଳାମାନଙ୍କ ପାଇଁ ବିଭିନ୍ନ ପୋଷାକପତ୍ର ଓ ସଂଲଗ୍ନ ବସ୍ତ୍ରାଂଶ କିଣିବାର ପ୍ରଥମ ୱେବସାଇଟ୍ ‘ଲାଇମ୍ରୋଡ୍’ ଆରମ୍ଭ କରିଥିଲେ। ପରେ ଏଥିରେ ପୁରୁଷ ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ବସ୍ତ୍ର ସମେତ ଗୃହସଜା ଓ ଗୃହୋପକରଣ ଆଦି ଉପଲବ୍ଧ ହୋଇଥିଲା। ଶୁଚିଙ୍କର ଏହି ଡିଜିଟାଲ୍ ମଞ୍ଚର ବିଶେଷତ୍ବ ହେଲା, ପ୍ରତିଟି ଉତ୍ପାଦ ତାହାର ବଜାର ଦର ଠାରୁ ‘ଲାଇମ୍ରୋ଼ଡ୍’ରେ ଯଥେଷ୍ଟ କମ୍ ଦରରେ ମିଳିପାରୁଛି। ଫଳରେ ତାଙ୍କ କମ୍ପାନି ଦେଶର ଦ୍ରୁତତମ ଅଗ୍ରଣୀ ଡିଜିଟାଲ୍ ସପିଂ ମଞ୍ଚ ମଧ୍ୟରେ ଅନ୍ୟତମ ଲୋକପ୍ରିୟ ସଂସ୍ଥା ହୋଇପାରିଛି। ବିଶେଷ କରି ଦକ୍ଷିଣ ପୂର୍ବ ଏସିଆରେ ପ୍ରସ୍ତୁତ ବିଭିନ୍ନ ସୌଖୀନ୍ ଉତ୍ପାଦକୁ ଭିତ୍ତି କରି ସେ ତାଙ୍କ କମ୍ପାନିକୁ ଏକ ନମ୍ବର କରିବାର ସ୍ବପ୍ନ ରଖିଛନ୍ତି। ଏବେ ତାଙ୍କ କମ୍ପାନିର ୫୦ କୋଟି ୱେବ୍ ପରିଦର୍ଶକ ରହିଛନ୍ତି। ଶୁଚିଙ୍କର ଏହି ଔଦ୍ୟୋଗିକ ସଫଳତା ପାଇଁ ୨୦୧୫ରେ ‘ବିଜିନେସ୍ ଟୁଡେ’ ପକ୍ଷରୁ ‘ଲାଇମ୍ରୋଡ୍’କୁ ଶ୍ରେଷ୍ଠ ଷ୍ଟାର୍ଟଅପ୍ ସମ୍ମାନ ମିଳିଥିଲା। ସେହିପରି ସେହିବର୍ଷ ଶୁଚି ‘ଇନ୍ଫୋକମ୍ ଓମେନ୍ ଅଫ୍ ଦି ଇଅର’ ପୁରସ୍କାର ଲାଭ କରିବା ସହ ୨୦୧୬ରେ ଏନ୍ଡିଟିଭି ତାଙ୍କୁ ‘ୟୁନିକର୍ଣ୍ଣ ଷ୍ଟାର୍ଟଅପ୍’ ସମ୍ମାନରେ ସମ୍ମାନିତ କରିଥିଲା। ୨୦୧୭ରେ ଇକୋନୋମିକ୍ସ ଟାଇମ୍ସ ମଧ୍ୟ ତାଙ୍କୁ ‘ଇଟି ଷ୍ଟାର୍ଟଅପ୍ ସମ୍ମାନ’ ପାଇଁ ସୁପାରିସ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/sf654h65sf4h654sfhs65fh465sfhfhsfhssfhfsh.jpg)