ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ସେଲିବ୍ରିଟିମାନଙ୍କ ମନରେ ଡର ପଶିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ପପ୍ ଷ୍ଟାର ନିକ ଜୋନସଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ସୁରକ୍ଷା ଗାର୍ଡଙ୍କୁ କିଛି ସଙ୍କେତ ଦେଇ ମଞ୍ଚରୁ ଦୌଡ଼ି ପଳାଉଛନ୍ତି। କୁହାଯାଉଛି ଯେ, ତାଙ୍କ ଉପରେ ଲେଜର ଲାଇଟ୍ ପଡ଼ିବାରୁ ସେ ଏଭଳି କରିଥିଲେ।

Advertisment

ସୂଚନା ମୁତାବକ, ନିକ୍ ଜୋନସ ତାଙ୍କ ଭାଇ କେଭିନ ଏବଂ ଜୋ ଜୋନସଙ୍କ ସହ ମଙ୍ଗଳବାର ଦିନ ପ୍ରାଗରେ ନିଜ କନସର୍ଟ ପାଇଁ ପ୍ରସ୍ତୁତ ହେଉଥିଲେ। ସମସ୍ତେ ମଞ୍ଚ ଉପରେ ଥିବା ବେଳେ କନସର୍ଟ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ ଲୋକେ। ଏହି ସମୟରେ ହଠାତ୍ ନିକଙ୍କ ମୁଣ୍ଡରେ ଲେଜର ଲାଇଟ୍ ପଡ଼ିବାରୁ ସେ ଡରରେ ବିପଦ ଥିବା ସଙ୍କେତ ଦେଖାଇ ମଞ୍ଚରୁ ଦୌଡ଼ି ପଳାଇଥିଲେ। ନିକ୍ ଦୌଡ଼ି ପଳାଇଥିଲେ ବି ତାଙ୍କ ୨ଭାଇ ମଞ୍ଚ ଉପରେ ଥିବା ଦେଖାଯାଇଥିଲା। ତେବେ ପରେ କନସର୍ଟକୁ ଆସିଥିବ‌ା ଜଣେ ଯୁବକ ଲେଜର ଲାଇଟ୍ ନିକଙ୍କ ଉପରକୁ ପକାଇଥିବା ଜଣାଯାଇଥିଲା। କନସର୍ଟକୁ ଅଧାରୁ ରୋକି ନିକଙ୍କ ସୁରକ୍ଷା ଗାର୍ଡ ଯାଞ୍ଚ କରିଥିବା ବେଳେ ଯୁବକଜଣକ ଡରାଇବା ପାଇଁ ଏଭଳି କରିଥିବା ଜଣାଯାଇଥିଲା। ପରେ ଲେଜର ଲାଇଟ୍ ପକାଇଥିବା ଯୁବକଙ୍କୁ କନସର୍ଟରୁ ବାହାର କରାଯିବା ପରେ ପୁଣି ଥରେ ମଞ୍ଚକୁ ଆସି କନସର୍ଟ ଆରମ୍ଭ କରିଥିଲେ ନିକ୍।