‘ବୋହୂ ଆମର ମାଟ୍ରିକ୍ ଫେଲ୍’ ଓ ‘ବୋହୂକୁ ଲାଗିଚି ରିଲ୍‌ସ ଭୂତ’ ଭଳି ଶୀର୍ଷକରେ ବୋହୂ ଶବ୍ଦ ଥିବା ଟେଲି ସିନେମାର ନାୟିକା ନିକିତାଙ୍କୁ ପୁଣି ଦର୍ଶକ ଦେଖିବାକୁ ପାଇବେ ସେହି ଧରଣର ଆଉ ଏକ ଟେଲି ସିନେମାରେ। ଏହାର ଶୀର୍ଷକ ରହିଛି ‘ସୁନାନାକୀ ବୋହୂ’। ଏଥିରେ ଟେଲିଜଗତର ଜଣାଶୁଣା ଅଭିନେତା ସାପଲିନ୍‌ଙ୍କ ବିପକ୍ଷରେ ନଜର ଆସିବେ ସେ। ଜଣେ ଶିଶୁ କଳାକାର ଭାବେ ବେଶ୍ କେତୋଟି ଓଡ଼ିଆ ଛବିରେ ଅଭିନୟ କରିବା ପରେ ନିର୍ମାତା ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ନିଂରଜନ ବେହେରାଙ୍କ ‘ଯୋଗୀ’ ସିନେମାରେ ବ୍ରେକ୍ ପାଇଥିଲେ ନିକିତା। ଏହି ଫିଲ୍ମରେ ସେ ନବାଗତ ନାୟକ ଆର୍ଯ୍ୟନ୍ ଦାଶ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ। ହେଲେ ‘ଯୋଗୀ’ ପରେ ତାଙ୍କୁ ଅନ୍ୟ ସିନେମାରେ ଏଯାଏ ଦେଖିବାକୁ ମିଳିନାହିଁ। ଏହାପରେ ସେ ଟେଲିଜଗତରେ ଅଧିକ ସକ୍ରିୟ ହୋଇଛନ୍ତି। ତାଙ୍କୁ ମେଗା ଧାରାବାହିକ ‘ସିଂହଦ୍ବାର’ (ମଞ୍ଜରୀ) ଓ ଝିଲି (ଜୀ ସାର୍ଥକ) ଖୁବ୍ ଲୋକପ୍ରିୟତା ଆଣି ଦେଇଥିଲା।

Advertisment

‘ସୁନାନାକୀ ବୋହୂ’ରେ ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀରାଜ ନାୟକ, ପୁଷ୍ପା ପଣ୍ଡା, ବିଶ୍ୱଭୂଷଣ, ମିଲି ମହାନ୍ତି, ଭକ୍ତି, ଦେବ ମିଶ୍ର ଓ ଭୂପତି ତ୍ରିପାଠୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶକ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା। ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର। ଏହି ନୂଆ ଟେଲି ସିନେମା ଖୁବ୍ ଶୀଘ୍ର ଜୀ ସାର୍ଥକରେ ପ୍ରଦର୍ଶିତ ହେବ।