ସିନେମାରେ ନାୟକ-ନାୟିକାମାନେ ଯେଉଁ ପୋଷାକ ପିନ୍ଧନ୍ତି, ସେଇଟା ହିଁ ହୋଇଯାଏ ନୂଆ ଫେସନ୍। ଯୁବପିଢ଼ି ସିନେତାରକାଙ୍କୁ ଦେଖି ସେଭଳି ପୋଷାକ ପିନ୍ଧିବା ପାଇଁ ବ୍ୟାକୁଳ ହୋଇ ଉଠନ୍ତି। ହେଲେ ଆପଣ ଜାଣନ୍ତି କି ସେ ପୋଷାକ ପଛର ପୂରା କାହାଣୀ? କିଏ ତିଆରନ୍ତି ତା’କୁ? ସିନେମା ସରିବା ପରେ କ’ଣ ହୁଏ ସେସବୁ?
ପରଦା ପଛର ଏହି କାହାଣୀ ଉପରୁ ପରଦା ହଟାଇଛନ୍ତି ଓଲିଉଡ୍ର ଜଣାଶୁଣା କଷ୍ଟ୍ୟୁମ୍ ଡିଜାଇନର୍ ନିର୍ମଳ ଦାଶ। ଦୀର୍ଘ ୫୦ ବର୍ଷର ସିନେଯାତ୍ରାରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ସିନେମା ପାଇଁ ପୋଷାକ ଡିଜାଇନ୍ କରିଛନ୍ତି ସେ। ୧୯୭୫ ମସିହାରେ ‘ଯାଯାବର’ ସିନେମା ଜରିଆରେ ଓଲିଉଡ୍ରେ ପାଦ ଥାପି ଆଉ ପଛକୁ ଫେରିନାହାନ୍ତି। ଗୋଟାଏ ପରେ ଗୋଟାଏ ସିନେମାର କଷ୍ଟ୍ୟୁମ୍ ଦାୟିତ୍ବ ତୁଲାଇବା ପରେ ସେ ପାଲଟି ଯାଇଥିଲେ ଓଲିଉଡ୍ର ନାମୀ କଷ୍ଟ୍ୟୁମ୍ ଡିଜାଇନର୍। ତାଙ୍କ ଶେଷ ସିନେମା ଥିଲା ‘ଆଇ ଲଭ୍ ୟୁ ୨’। ତା’ପରଠାରୁ ସେ ଏବେ ବୃତ୍ତିରୁ ବିରତି ନେଇଛନ୍ତି।
କଷ୍ଟ୍ୟୁମ୍ ଡିଜାଇନର୍ ନିର୍ମଳ ଦାଶ ବିନା କୌଣସି ପ୍ରଶିକ୍ଷଣରେ ଏହି ବୃତ୍ତିରେ ପ୍ରବେଶ କରିଥିଲେ। ଦେଖିଶିଖି କାମ କରିବା ଆରମ୍ଭ କରିଥିଲେ। ମାତ୍ର ଏବେ କଷ୍ଟ୍ୟୁମ୍ ଡିଜାଇନର୍ ହେବା ପାଇଁ ସ୍ବତନ୍ତ୍ର କୋର୍ସ କରିବାକୁ ପଡ଼ୁଛି। ତେବେ ଏଥିରେ ପାରିଶ୍ରମିକ ବି ମନ୍ଦ ନୁହେଁ; ମାତ୍ର ପୋଷାକ ଡିଜାଇନ୍ କଳା ଶିଖିବା ଜରୁରି ବୋଲି ସେ ମତ ଦିଅନ୍ତି। ପୂର୍ବ ଓ ଏବେକାର ସିନେମା ମଧ୍ୟରେ ଅନେକ ତଫାତ୍। ପୂର୍ବରୁ ସମସ୍ତଙ୍କ ପାଇଁ କଷ୍ଟ୍ୟୁମ୍ ତିଆରି ହେଉଥିଲା। ମାତ୍ର ଏବେ ଟ୍ରେଣ୍ଡ୍ ବଦଳିଛି। ଅଧିକାଂଶ କଳାକାର ନିଜ ପୋଷାକ ପିନ୍ଧି ସଟ୍ ଦେଉଛନ୍ତି। ଏହା କେତେ ଭଲ ଓ କେତେ ମନ୍ଦ ତାହା ମୋ ଚିନ୍ତା ବାହାରେ ବୋଲି କହନ୍ତି ୭୦ ବର୍ଷୀୟ ନିର୍ମଳ।
ସିନେମା ସରିବା ପରେ ବ୍ୟବହୃତ ପୋଷାକ କ’ଣ ହୁଏ? ଏପରି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହନ୍ତି, ‘‘ମୋ କାମ ହେଲା କଳାକାରମାନଙ୍କ ତାଲିକା ଓ ମାପ ନେଇ ସେମାନଙ୍କ ପାଇଁ ପୋଷାକ ଡିଜାଇନ୍ କରିବା। ତାହାକୁ ଟେଲର୍କୁ ଦେଇ ତିଆରିକରି ଆଣିବା। ଯଦି ଫିଟିଂ ଠିକ୍ ନହେଲା ତାହାକୁ ପୁଣି ଠିକ୍ କରିବା। କଳାକାର ପୋଷାକ ପିନ୍ଧି ସଟ୍ ଦେବା ପରେ ସେହି ପୋଷାକକୁ ଭାଙ୍ଗିଭୁଙ୍ଗି ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିବା। ତା’ପରେ ସେ ପୋଷାକ ସହ କ’ଣ କରାଯିବ ତାହା ନିର୍ଦ୍ଦେଶକଙ୍କ ନିଷ୍ପତ୍ତି। ହଁ, ବେଳେ ବେଳେ ନୂଆ କଳାକାରମାନେ ସେମାନଙ୍କ ମନପସନ୍ଦର ପୋଷାକକୁ ନିର୍ଦ୍ଦେଶକଙ୍କ ସହ କଥା ହୋଇ ନେଇ ଯାଇଥାନ୍ତି। ସେଥିପାଇଁ ସେମାନେ କିଛି ଦେୟ ଦିଅନ୍ତି କି ନାହିଁ ମୁଁ ସେତେଟା ଅବଗତ ନୁହେଁ।’’
ଗୋଟାଏ କଷ୍ଟ୍ୟୁମ୍ ଭିନ୍ନ ସିନେମାରେ ରିପିଟ୍ ହୁଏ କି ନାହିଁ ପଚାରିବାରୁ ସେ କହନ୍ତି କି ତାଙ୍କ ନଜରରେ ସେପରି କେବେ ହୋଇନାହିଁ। ତେବେ ଗ୍ରୁପ୍ କଷ୍ଟ୍ୟୁମ୍କୁ ରିପିଟ୍ କରାଯାଇଛି କେତେକ ସମୟରେ।
ନିର୍ମଳଙ୍କ ଏକମାତ୍ର ପୁଅ ରାଜା ଡି ଏବେ ଓଲିଉଡ୍ର ଜଣେ ଜଣାଶୁଣା ନିର୍ଦ୍ଦେଶକ। ସେ ନିଜ ପୁଅ ସହିତ ବି ଗୋଟାଏ ଦୁଇଟି ସିନେମା କରିଛନ୍ତି। ନିର୍ମଳ କହନ୍ତି,‘‘ଜୀବନକାଳ ମଧ୍ୟରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ନିର୍ଦ୍ଦେଶକଙ୍କ ସହ କାମ କରିଛି। ମୋ ପାଇଁ ସମସ୍ତେ ସମାନ, ଏପରିକି ମୋ ପୁଅ ମଧ୍ୟ ଅଲଗା ନୁହେଁ। ନିର୍ଦ୍ଦେଶକଙ୍କ କାମ ସେ ନିର୍ଦ୍ଦେଶନା ଦେବେ ଓ ମୋ କାମ ମୁଁ ଡିଜାଇନ୍ କରିବି। ସାମ୍ନାରେ ପୁଅ ରହୁ କି ଅନ୍ୟ କେହି; ମୋତେ ସାମାନ୍ୟ ଭିନ୍ନତା ଅନୁଭବ ହୁଏନି।’’