ନିର୍ମଳା ମିଶ୍ର, ୬୦ ଓ ୭୦ ଦର୍ଶକରେ ସେ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ସ୍ରାମାଜ୍ଞୀ। ତାଙ୍କ କଣ୍ଠରୁ ନିଃସୃତ ସଙ୍ଗୀତ ଏବେ ବି ଦର୍ଶକଙ୍କୁ ବିଭୋର କରୁଛି। ବିରହ ସଙ୍ଗୀତ ‘ନିଦଭରା ରାତି.. ମଧୁଝରା ଜହ୍ନ... ହେଉ ଅବା ଶିଶୁ ସଙ୍ଗୀତ ‘ଆ ଜହ୍ନ ମାମୁଁ ସରଗ ଶଶି... ହେଉ ସଙ୍ଗୀତର ପ୍ରତିଟି କ୍ଷେତ୍ରରେ ସେ ଥିଲେ ମହାରଥୀ। ସ୍ବରତାଳ ଉପରେ ତାଙ୍କ ନିୟନ୍ତ୍ରଣ, କଣ୍ଠର କାରିଗରୀ ଓ ଅଣଓଡ଼ିଆ ହୋଇ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ ଓ ତାଙ୍କ କଣ୍ଠର ମିଠାପଣ ତାଙ୍କୁ ଜଣେ ଅପ୍ରତିଦ୍ବନ୍ଦ୍ବୀ କଣ୍ଠଶିଳ୍ପୀ ସଜାଇଥିଲା। ଏହି ୨୦ ବର୍ଷର ତାଙ୍କର ଓଡ଼ିଆ ସଙ୍ଗୀତ ଯାତ୍ରାରେ ପ୍ରତିଟି ସଙ୍ଗୀତ ନିର୍ଦ୍ଦେଶକଙ୍କର ସେ ଥିଲେ ପ୍ରଥମ ପସନ୍ଦ। ସଙ୍ଗୀତ ପରିବାରରୁ ଆସିଥିବା ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ ଜଣେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଥିଲେ। ଏଣୁ ନିଜ ପ୍ରଥମ ଗୀତରୁ ହିଁ ସେ ସମସ୍ତଙ୍କ ହୃଦୟର ରାଣୀ ସାଜିଥିଲେ। ସେ ହେଉଛନ୍ତି ପ୍ରଖ୍ୟାତ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର। ଆଜି ସେ ଇହଧାମରୁ ବିଦାୟ ନେଇଛନ୍ତି ସତ, କିନ୍ତୁ ଓଡ଼ିଆ ସଙ୍ଗୀତ ଶ୍ରୋତାଙ୍କ ପାଇଁ ସେ ଚିରସ୍ମରଣୀୟା ହୋଇ ରହିବେ।

Advertisment

‘ଆକାଶେ କି ରଙ୍ଗ ଲାଗିଲା...’ରୁ ଆରମ୍ଭ ଓଡ଼ିଆ ସଙ୍ଗୀତ ଯାତ୍ରା
୧୯୬୦ ମସିହାରେ ବଙ୍ଗୀୟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆଣିଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀଲୋକନାଥ’ର ସଙ୍ଗୀତ ‘ଆ‌କାଶେ କି ରଙ୍ଗ ଲାଗିଲା..’ ହେଉଛି ସ୍ବର୍ଗତା ମିଶ୍ରଙ୍କ ପ୍ରଥମ ଓଡ଼ିଆ ଗୀତ। ସେ ଗାଇଥିବା ଏହି ସଙ୍ଗୀତଟି ଏତେ ଲୋକପ୍ରିୟ ହେଲା ଯେ, ବାଳକୃଷ୍ଣ ଦାଶ ତାଙ୍କର ଅଧିକାଂଶ ସଙ୍ଗୀତରେ ସ୍ବର୍ଗତା ମିଶ୍ରଙ୍କୁ ନେଉଥିଲେ। ଏହା ପରେ ପରେ ‘ଅମଡ଼ାବାଟ’ ଚଳଚ୍ଚିତ୍ରର ‘ଜୀବନ ଯମୁନାରେ ଜୁଆର ଉଠେରେ..., ‘ମାଣିକଯୋଡ଼ି’ ଚଳଚ୍ଚିତ୍ରର ‘ମୋ ମନର ବୀଣାର ତାରେ…, ‘ନବଜନ୍ମ’ ଚଳଚ୍ଚିତ୍ରର ‘ଏଇ ଲଗନେ ମୋ ମନ ବୁଝେନା... ଆଦି ସଙ୍ଗୀତ ସେ ବାଳ‌କୃଷ୍ଣ ଦାଶଙ୍କ ସଂଯୋଜନାରେ ଗାନ କରିଥି‌ଲେ। ଏହାପରେ ‘କା’ ଚଳଚ୍ଚିତ୍ରର ‘ମୁଁ ଜଣେନା କି ତୁମେ ଜାଣନା... ସଙ୍ଗୀତକୁ ସେ ପ୍ରଣବ ପଟ୍ଟନାୟକଙ୍କ ସହ ଭୁବନେଶ୍ବର ମିଶ୍ର ସଂଯୋଜନାରେ ଗାଇଥିଲେ। ଭୁବନେଶ୍ବର ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ବର୍ଗତା ମିଶ୍ରଙ୍କ ସବୁଠାରୁ ଲୋକପ୍ରିୟ ଓ କାଳଜୟୀ ସଙ୍ଗୀତ ଥିଲା ‘ସଞ୍ଜ ସକାଳେ ତୁମ ଛବି ଖୋଜେ...’। ୧୯୬୯ର ଚଳଚ୍ଚିତ୍ର ‘ବନ୍ଧନ‌’ରେ ଭୁବନେଶ୍ବର ମିଶ୍ର ତାଙ୍କୁ ‘ଆ ଜହ୍ନ ମାମୁଁ ସରଗ ଶଶି...’ ସଙ୍ଗୀତ ‌ଦେଇଥିଲେ। ଯାହାକି ୫୦ ବର୍ଷ ପରେ ବି ଆଜି ଆଜି ଘରେ ଘରେ ପ୍ରଚଳିତ ତଥା ଲୋକପ୍ରିୟ ଲୋରି। ଏବେ ବି ସନ୍ତାନ ଅବୁଝା ହେଲେ ଜହ୍ନକୁ ଦେଖେଇ ମା’ ଏହି ଗୀତଟି ଗାଇଦିଏ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସଙ୍ଗୀତ ସହ ସ୍ବର୍ଗତା ମିଶ୍ର ସେ ସମୟର ବେଶ୍‌ ଲୋକପ୍ରିୟ ଓ ସଙ୍ଗୀତ ଜଗତର ଆଗ ଧାଡ଼ିର କଣ୍ଠଶିଳ୍ପୀ ହୋଇଯାଇଥିଲେ।

publive-image ଏକ ଗୀତ ରେକର୍ଡିଂ ଅବସରରେ ବାଳକୃଷ୍ଣ ଦାଶ ଓ ନିର୍ମଳା ମିଶ୍ର

ବଙ୍ଗୀୟ ହେଲେ ବି ଶୁଦ୍ଧ ଓଡ଼ିଆ ଉଚ୍ଚାରଣ କରୁଥିଲେ
ସେତେବେଳେ ଅନେକ ବଙ୍ଗୀୟ କଣ୍ଠଶିଳ୍ପୀ ଓଡ଼ିଆ ସଙ୍ଗୀତ ଗାଉଥିଲେ ମଧ୍ୟ ସ୍ବର୍ଗତା ମିଶ୍ରଙ୍କ ଓଡ଼ିଆ ଗାୟନ ଶୈଳୀ, ଓଡ଼ିଆ ଶବ୍ଦର ଉଚ୍ଚାରଣ ଅତ୍ୟନ୍ତ ଶୁଦ୍ଧ ଥିଲା। ଏଣୁ ସେ ବଙ୍ଗାଳୀ ହେଲେ ବି ଓଡ଼ିଆ ଓଡ଼ିଆ ଲାଗୁଥିଲେ ଓ ଅନେକ ତାଙ୍କୁ ଓଡ଼ିଆ ଝିଅ ଭାବେ ଗ୍ରହଣ କରିନେଇଥିଲେ। ବଙ୍ଗାଳୀମାନେ ଓଡ଼ିଆ ଗୀତ ଗାଇଲା ବେଳେ ‘ଓ’ କାର ମିଶାଇ ଦେଉଥିବା ବେଳେ ସ୍ବର୍ଗତା‌ ମିଶ୍ରଙ୍କ ଉଚ୍ଚାରଣରେ ସେଭଳି ଭୁଲ ନଥିଲା। ଅନ୍ୟପଟେ ସେ ଜଣେ ନିପୁଣା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ହୋଇଥିବା ବେଳେ ତାଙ୍କର ଗାୟନଶୈଳୀ ବେଶ୍ ମାର୍ଜିତ ଥିଲା। ତାଙ୍କର ସ୍ବର ମିଠା ଥିଲା, ସ୍ବର ଉପରେ ତାଙ୍କର ସ୍ବତନ୍ତ୍ର ନିୟନ୍ତ୍ରଣ ଥିଲା ଓ ସ୍ବର କାରିଗରୀରେ ସେ ମାହିର୍‌ ଥିଲେ। ଫଳରେ ସେ ଓଡ଼ିଆ ଦର୍ଶକ ମହଲରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ପ୍ରସିଦ୍ଧ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ମଧ୍ୟ ସ୍ବର୍ଗତା ମିଶ୍ରଙ୍କ ଏହି ଅଦ୍ଭୁତ କଳାରେ ପ୍ରଭାବିତ ହୋଇ ତାଙ୍କ ସହ କାମ କରିଥିଲେ। ‘ସଂସାର’ ଚଳଚ୍ଚିତ୍ରର ସଙ୍ଗୀତ ‘ଢେଉ ଢେଉକା ପାହାଡ଼ ତଳେ ଅଙ୍କାବଙ୍କା ନଇ...ରେ ଅକ୍ଷୟ ମହାନ୍ତିଙ୍କ ସହ ସେ ଦ୍ବୈତ ଭାବେ ସଙ୍ଗୀତ ଗାନ କରିଥିଲେ। ସେତେବେଳେ କୋଲକାତାରେ ସମସ୍ତ ଗୀତ ରେକର୍ଡିଂ ହେଉଥିବା ବେଳେ ଅଧିକାଂଶ ଗୀତ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ନିର୍ମଳା ମିଶ୍ର। ନିର୍ମଳା ଯେ ଜଣେ ଅଣଓଡ଼ିଆ ତାହା ତାଙ୍କ ଗାୟନରୁ କେହି ଜାଣି ପାରିଲେ ନାହିଁ। ସେ ଜଣେ ଖାଣ୍ଟି ଓଡ଼ିଆ ଭାବେ ଓଡ଼ିଆଙ୍କୁ ଓଡ଼ିଆ ସଙ୍ଗୀତ ଭେଟି ଦେଇ ଯାଇଛନ୍ତି ବୋଲି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି।

‘ନିଦଭରା ରାତି ମଧୁଝରା ଜହ୍ନ...’ ଗାଇବାକୁ ପ୍ରଥମେ ନିର୍ମଳା ମନା କରିଥିଲେ
୭୦ ଦଶକର ମଝି ଆଡ଼କୁ ସେ ଓଡ଼ିଆ ଗୀତ ଗାଇବା ଧୀରେ ଧୀରେ କମାଇ ଦେଲେ। ସେହି ସମୟରେ ତାଙ୍କ ପାଖକୁ ଏକ ଗୀତ ଅଫର୍‌ ଯାଇଥିଲା, ଯାହାକୁ ସେ ଗାଇବାକୁ ସମ୍ପୂର୍ଣ୍ଣ ମନା କରି ଦେଇଥିଲେ। କିନ୍ତୁ ପରେ ସ୍ବର ଶୁଣିବା ପରେ ଗୀତଟି ଗାଇବାକୁ ରାଜି ହୋଇଥିଲେ। ସେହି ଗୀତଟି ଥିଲା, ‘ନିଦଭରା ରାତି ମଧୁଝରା ଜହ୍ନ...’। ୧୯୭୭ ମସିହା ଚଳଚ୍ଚିତ୍ର ‘ଅନୁତାପ’ର ଏହି ସଙ୍ଗୀତ ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ମାଇଲଖୁଣ୍ଟ ପାଲଟିଥିଲା। ଏହି ଗୀତ ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କଲା ଯେ ସ୍ବର୍ଗତା ମିଶ୍ର ଓଡ଼ିଆ ସଙ୍ଗୀତ ଜଗତର ଉଜ୍ଜ୍ବଳତମ ତାରକା ଓ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲେ। ଏହା ପରେ ଶାନ୍ତନୁ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରର ସଙ୍ଗୀତ ‘ଯା ଯାରେ ଯା ମନପବନ ନଉକା…’ ଗୀତ ବି ବେଶ୍‌ ଲୋକଦୃତି ପାଇଥିଲା। ୮୦ ଦଶକର ଆରମ୍ଭ ପର୍ଯ୍ୟନ୍ତ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଥିବା ବେଳେ ଏହା ପରେ ସେ ବିଶେଷ ଓଡ଼ିଆ ଗୀତ ଗାଇନାହାନ୍ତି।

‘ପରଜନ୍ମରେ ଜଣେ ଓଡ଼ିଆ ହୋଇ ଜନ୍ମ ହେବାକୁ ଚାହେଁ’
୨୦୧୨ ମସିହାରେ ସ୍ବର୍ଗତା ମିଶ୍ର ଯେତେବେଳେ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସମ୍ମାନ’ ଗ୍ରହଣ କରିବାକୁ ଆସିଥିଲେ, ସେ ସେତେବେଳେ ଯାହା କହିଥିଲେ ତାହା ପ୍ରତିଟି ଓଡ଼ିଆର ହୃଦୟକୁ ସ୍ପର୍ଶ କରି ଯାଇଥିଲା। ସେ କହିଥିଲେ, ପଶ୍ଚିମବଙ୍ଗ ପରେ ଓଡ଼ିଶା ମୋ ଦ୍ବିତୀୟ ଘର। ଯଦି ମୁଁ ପୁନଃଜନ୍ମ ଜନ୍ମ ନେବି, ତେବେ ମୁଁ ଆଗାମୀ ଜନ୍ମରେ ଜଣେ ଓଡ଼ିଆ ଭାବେ ଓଡ଼ିଆ ମାଟିରେ ଜନ୍ମ ହେବାକୁ ଚାହିଁବି। ତାଙ୍କର ଏହି କଥା ପ୍ରତିଟି ଓଡ଼ିଆ ମନରେ ତାଙ୍କ ପ୍ରତି ଥିବା ସମ୍ମାନକୁ ବହୁଗୁଣିତ କରିଦେଇଥିଲା।