ଆମ ଚଳଚ୍ଚିତ୍ର ଶିଳ୍ପରେ ଏମିତି କେତେଜଣ ନାୟିକା ଅଛନ୍ତି; ଯେଉଁମାନଙ୍କୁ୍ ଦର୍ଶକ ଯେଉଁ ନାମରେ ଜାଣନ୍ତି, ତାହା କିନ୍ତୁ ସେମାନଙ୍କର ଅସଲ ନାମ ନୁହେଁ। ସେମାନଙ୍କର ପ୍ରକୃତ ନାମ ଓ ପରଦାରେ ଆସୁଥିବା ନାମ ସଂପୂର୍ଣ୍ଣ ଭିନ୍ନ। ଅତୀତରେ ବି ଏଭଳି ଦେଖିବାକୁ ମିଳିଥିଲା, ଆଉ ଏବେ ବି ସେହି ଧାରା ଅତୁଟ ରହିଛି। ନାଁ ବଦଳି ଥିବା ଓଲିଉଡ୍‌ ନାୟିକାଙ୍କ ସଂପର୍କରେ କିଞ୍ଚିତ୍ କଥା।

Advertisment

ଓଲିଉଡ୍‌ରେ ଏକ ନମ୍ବର ନାୟିକା ଭାବେ ପ୍ରାୟ ଏକ ଦଶନ୍ଧି ଧରି ରାଜ୍ କରିଥିଲେ ରଚନା ବାନାର୍ଜୀ। ସେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ରୁ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ସନ୍ତାନ’ଯାଏ ୨୦ରୁ ଅଧିକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଥିଲେ। ହେଲେ ରଚନା ବାନାର୍ଜୀଙ୍କ ପ୍ରକୃତ ନାମ ଝୁମ୍‌ଝୁମ୍ ବାନାର୍ଜୀ। କିନ୍ତୁ ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳା ସିନେମା ‘ଦାନ୍‌ ପ୍ରତିଦାନ୍‌’ର ନିର୍ଦ୍ଦେଶକ ସୁଖେନ୍ ଦାସ ତାଙ୍କ ପ୍ରକୃତ ନାମକୁ ବଦଳାଇ ରଖିଥିଲେ ରଚନା। ଏହାପରେ ଝୁମ୍‌ଝୁମ୍‌ରୁ ସେ ବନିଗଲେ ରଚନା। ଆଜିଯାଏ ସେ ଏହି ନାଆଁରେ ପରିଚିତ ହେଉଛନ୍ତି। ଠିକ୍ ସେହିପରି ‘ତୁ ମୋରି ପାଇଁ’, ‘ଓମ୍ ଶାନ୍ତି ଓମ୍’, ‘ବ୍ୟାଡ୍ ଗାର୍ଲ’, ‘ଡାଡି ଦ ଲିଭିଙ୍ଗ୍‌ ଗଡ୍‌’, ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଓ ‘ମୀମାଂସା’ ଆଦି ଓଡ଼ିଆ ସିନେମାର ନାୟିକା ଲିପିଙ୍କ ପ୍ରକୃତ ନାମ ସୁଶ୍ରୀ ସଙ୍ଗୀତା। ମାତ୍ର ସେ ଲିପି ନାଆଁରେ ସବୁଠି ପରିଚିତ। ଓଲିଉଡ୍‌ ନାୟିକା ବବ୍‌ଲିଙ୍କ ପ୍ରକୃତ ନାମ ହେଲା ଅଭୀପ୍ସା ପଣ୍ଡା। ତାଙ୍କୁ ‘ଆଖି ପଲକରେ ତୁ’, ‘ବ୍ୟାଡ୍ ଗାର୍ଲ ’, ‘ଅ ଆ ହର୍ଷେଇ’, ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଓ ‘ଟିକେ ଅନାଡ଼ି ପୂରା ଖିଲାଡ଼ି’ ଆଦି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ‘ଫେରିଆ ମୋ ସୁନାଭଉଣୀ’, ‘ପ୍ରେମର ନିଶା ନିଆରା ନିଆରା’, ‘ଝିଅଟା ବିଗିଡ଼ିଗଲା’ ଓ ‘ରଘୁ ସର୍ଦ୍ଦାର’ ଆଦି ଓଡ଼ିଆ ଛବିର ନାୟିକା ଜୀନାଙ୍କ ପ୍ରକୃତ ନାମ ସ୍ବାତୀ ସାମଲ।

ଏଣେ ଅଶୀ ଦଶକର ଅନ୍ୟତମ ଚର୍ଚ୍ଚିତା ନାୟିକା ଥିଲେ ଡଲି ଜେନା। ତାଙ୍କର ଉଲ୍ଲେଖନୀୟ ଓଡ଼ିଆ ଛବି ମଧ୍ୟରେ ରହିଛି ‘ଆଶାର ଆକାଶ’, ‘ହାକିମବାବୁ’, ‘ଜଗାବଳିଆ’, ‘ହୀରାନୀଳା’ ଓ ‘ତାରା’। ତାଙ୍କର ପ୍ରକୃତ ନାମ ବିଜୟା ଜେନା, ହେଲେ ସେ ଡଲି ଭାବେ ସିନେ ଦୁନିଆରେ ବେଶ୍‌ ଜଣାଶୁଣା। ଠିକ୍ ସେହିପରି ଏବେକାର ଚର୍ଚ୍ଚିତା ନାୟିକା ଅର୍ଲିନ୍ ଅଙ୍କିତାଙ୍କ କ୍ଷେତ୍ରରେ ବି ସେଇଆ ଘଟିଛି। ତାଙ୍କୁ ଦର୍ଶକ ପ୍ରଥମେ ଅମ୍ଳାନ-ଭୂମିକା ଷ୍ଟାରର୍ ‘ମାୟାବୀ’ରେ ଦେଖିବାକୁ ପାଇଥିଲେ। ଏବେ ତାଙ୍କ ଅଭିନୀତ ‘ହିଟ୍‌ଲର୍’, ‘ମୁନ୍ନା ଭାଇ ବିବିଏସ୍‌ଆର୍’ ଓ ‘‘ହେ ରାମ –କର୍ମ ହିଁ ଧର୍ମ’ ଆଦି ମୁକ୍ତି ପ୍ରତୀକ୍ଷାରେ ରହିଛି। ନାଆଁ ବଦଳାଇବାର ରହସ୍ୟ ଉନ୍ମୋଚନ କରି ସେ କହନ୍ତି, ‘‘ପ୍ରକୃତରେ ମୋ’ ନାଆଁ ଅଙ୍କିତା। ହେଲେ ‘ଅଧାଲେଖା ଗପ’ର ସୁଟିଂ ପୂର୍ବରୁ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ସାର୍ କହିଲେ ଯେ ଅଙ୍କିତା ନାଆଁରେ ଏଠି ଆହୁରି କେତେଜଣ ଝିଅ ଅଛନ୍ତି। ଏଣୁ ତୁମ ନାଆଁଟା ଟିକେ ବଦଳାଇ ଦେବା। ସେ ହିଁ ମୋ ନାଆଁ ରଖିଥିଲେ ‘ଅର୍ଲିନ୍ ଅଙ୍କିତା’। ବାସ୍ ତା’ପରେ ମୁଁ ସେହି ନାଆଁରେ ପରିଚିତ ହୋଇ ଆସୁଛି।’’
ଠିକ୍‌ ‌େସହିପରି ମୁକ୍ତି ପ୍ରତୀକ୍ଷିତ ‘ଆଇ ଲଭ୍‌ ୟୁ ୨’ର ନାୟିକା ଅପ୍ସରା ରାଣୀଙ୍କ ପ୍ରକୃତ ନାମ ହେଲା ଅଙ୍କିତା ମହାରଣା। ପ୍ରଖ୍ୟାତ ବଲିଉଡ୍‌ ନିର୍ମାତା-ନିର୍ଦ୍ଦେଶକ ରାମଗୋପାଳ ବର୍ମା ଅଙ୍କିତାଙ୍କ ନାମ ପରିବର୍ତ୍ତନ କରି ଅପ୍ସରା ରାଣୀ ରଖିଥିଲେ।

ଏହି କ୍ରମରେ ଆସନ୍ତି ଆଲ୍‌ବମ୍ ଜଗତର ଜଣାଶୁଣା ଅଭିନେତ୍ରୀ ଲଭ୍‌ଲି ଲିଲି। ୭୦ରୁ ଅଧିକ ଆଲ୍‌ବମ୍‌ରେ ନଜର ଆସିଥିବା ଲିଲି ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ନାୟିକା ଭୂମିକାରେ ଖୁବ୍ ଶୀଘ୍ର ନଜର ଆସିବେ। ଲଭ୍‌ଲି ଲିଲି ଏ ସଂପର୍କରେ କହନ୍ତି, ‘‘ମୋର ପ୍ରକୃତ ନାଆଁ ମନୋରମା ନାୟକ। ଘରେ ମୋତେ ଲିଲି ବୋଲି ଡାକନ୍ତି। ପରଦାରେ ଭଲ ନାଆଁଟିଏ ରଖିବାକୁ ଇଚ୍ଛା ହେଲା ମୋର। ଏଣୁ ମୁଁ ନିର୍ଦ୍ଦେଶକ ଏନ୍.ପାଢ଼ୀଙ୍କୁ ଫିଲ୍ମରେ ମୋର ନାଆଁ ଲଭ୍‌ଲି ଲିଲି ରଖିବାକୁ ଅନୁରୋଧ କରିଥିଲି। ସେ ବି ମୋ କଥା ରଖିଲେ। ବାସ୍ ତା’ପରେ ଏହି ନାମରେ ଏବେ ପରିଚିତ ହେଉଛି। ଆଗରୁ ମୋତେ ଆଲ୍‌ବମ୍‌ରେ ଲୋକେ ମନୋରମା ବୋଲି ଜାଣୁଥିଲେ, ହେଲେ ଏବେ ଲଭ୍‌ଲି ଲିଲି ନାଆଁରେ ଜାଣୁଛନ୍ତି।’’