ବିକି-କ୍ୟାଟ୍ରିନାଙ୍କ ବିବାହରେ ଫୋନ ବ୍ୟବହାର ମନା

ମୁମ୍ବାଇ: ବଲିଉଡରେ ଏବେ ଚର୍ଚ୍ଚାରେ ରହିଛନ୍ତି ପ୍ରେମୀଯୁଗଳ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ବିବାହକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେଲାଣି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେବେ ବିକି କ୍ୟାଟ୍ରିନାଙ୍କ ହାତ ଧରିବେ ସେ ପ୍ରଶ୍ନ ଏବେ ସେମାନଙ୍କ ପ୍ରଶଂସକଙ୍କ ମନରେ ରହିଛି। ତେବେ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଡିସେମ୍ବର ଦ୍ୱିତୀୟ ସପ୍ତାହରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ଏବଂ ସମସ୍ତ ରୀତିନୀତି ୭ ରୁ ୯ ଡିସେମ୍ବର ମଧ୍ୟରେ କରାଯିବ। ତେବେ ବିବାହରେ ସମସ୍ତ ଅତିଥିଙ୍କୁ ଫୋନର ବ୍ୟବହାର ନକରିବାକୁ ଏବଂ ଦୁହିଁଙ୍କ ଅନୁମତି ବିନା ବିବାହର କୌଣସି ଫଟୋକୁ ସୋସିଆଲ ମିଡିଆରେ ନଛାଡ଼ିବାକୁ କୁହାଯାଇଥିବା ନେଇ ସୂଚନା ମିଳିଛି। ଦୁହେଁ ନିଜର ବିବାହକୁ ନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରିନଥିବା ବେଳେ ଏଭଳି ନିୟମ ପରେ ଦୁହେଁ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି।

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ ପାଇଁ ଡିସେମ୍ବର ମାସକୁ ବାଛିଛନ୍ତି। ବିବାହ କାର୍ଯ୍ୟ ଡିସେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ଦୁହେଁ ସାଧାରଣ ବିବାହ ନୁହେଁ ବରଂ ରାଜକୀୟ ବିବାହ କରିବେ ବୋଲି କୁହାଯାଉଛି। ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହେବାକୁ ଥିବା ବେଳେ ଅତିଥିଙ୍କ ପାଇଁ ସବାଇ ମାଧୋପୁରର ଏକ ରାଜକୀୟ ରିସର୍ଟ ବୁକ୍ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ବିବାହରେ କେଉଁ ଅତିଥିମାନେ ଯୋଗଦେବେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୁହେଁ ବିବାହ ଦିନ ପିନ୍ଧିବାକୁ ଥିବା ପୋଷାକକୁ ଲୋକପ୍ରିୟ ଡିଜାଇନର ସବ୍ୟସାଚୀ ଡିଜାଇନ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର