ମୁମ୍ବାଇର ବିକଳ୍ପ ହେବ କି ନୋଇଡା!

ହିନ୍ଦୀ ସିନେଜଗତର ଜନ୍ମଭୂମି ତଥା ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଆଧାର ମୁମ୍ବାଇକୁ ଲାଗିପାରେ ଝଟ୍‌କା। ବଲିଉଡ୍‌ରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଆସୁଥିବା ମୁମ୍ବାଇ ପ୍ରତି ବିପଦ ଘନେଇବା ଆରମ୍ଭ କରିଛି। ‘ବମ୍ବେ ବୋଲେ ତୋ ବଲିଉଡ୍‌’ର ଟ୍ୟାଗ୍‌କୁ ହଟାଇବା ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକଳ୍ପ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି। ‌ନୋଇଡାରେ ଏକ ଅତ୍ୟାଧୁନିକ ଫିଲ୍ମି ସିଟି ନିର୍ମାଣ କରିବାକୁ ଯୋଗୀଙ୍କ ଯୋଜନା ବାସ୍ତବ ରୂପ ନେଲେ, ବଲିଉଡ୍‌ ପାଇଁ ସ୍ବପ୍ନର ସହର ମାନ୍ୟତା ପାଇଥିବା ମୁମ୍ବାଇର ଆଧିପତ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଇଡାରେ ୧୦୦୦ ଏକର ଜମିରେ ମୁମ୍ବାଇର ବିକଳ୍ପ ନିର୍ମାଣ କରିବେ। ଏହାକୁ ବିଶ୍ବର ସର୍ବଶ୍ରେଷ୍ଠ ସିନେ ସହରରେ ପରିଣତ କରିବାକୁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି। ଏହା ଭିତରେ ସେ ମୁମ୍ବାଇ ଗସ୍ତ କରି ବଲିଉଡ୍‌ର ବଡ଼ ବଡ଼ ତାରକା, ଚଳଚ୍ଚିତ୍ର ନିର୍ମାତା ଓ ଶିଳ୍ପପତିଙ୍କୁ ଭେଟି ସାରିଛନ୍ତି ଓ ସେମାନଙ୍କଠାରୁ ସବୁଜ ସଙ୍କେତ ମଧ୍ୟ ମିଳିଛି। ଅନେକ ଫିଲ୍ମ ନିର୍ମାତା ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ୍ କହିଛନ୍ତି, ମୁମ୍ବାଇ ଭାରତୀୟ ଚଳଚ୍ଚିତ୍ରର ଜନ୍ମଭୂମି, ମାତ୍ର ଏହାର କର୍ମଭୂମି ‌କେବଳ ମୁମ୍ବାଇରେ ସୀମିତ ନୁହେଁ। ଦକ୍ଷିଣ ଭାରତର ଚେନ୍ନାଇ ଓ ହାଇଦ୍ରାବାଦ୍ ଭଳି ସହରରେ ବହୁ ହିନ୍ଦୀ ଚଳଚ୍ଚିତ୍ର ସୁଟିଂ କରାଯାଇଥାଏ। ସଂପ୍ରତି ୫୦ ପ୍ରତିଶତରୁ ଅଧିକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ସୁଟିଂ କରାଯାଉଛି ବୋଲି ସେ କହିଛନ୍ତି। ତେଣୁ ନୋଇଡା ପ୍ରକଳ୍ପ ଏକ ଭଲ ପ୍ରସ୍ତାବ ବୋଲି ବହୁ ନିର୍ମାତା ଓ ଅଭିନେତା ମତ ଦେଇଛନ୍ତି। ମୁମ୍ବାଇ ଗସ୍ତରୁ ଫେରିବା ପରେ ସେ ସିବିଆର୍‌ଇ ସାଉଥ୍‌ ଏସିଆ ନାମକ ଏକ ଘରୋଇ ସଂସ୍ଥାକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ କରିବାକୁ ଚୟନ କରିଥିବା ଜଣାପଡ଼ିଛି। ୨୦୨୧ ଫେବ୍ରୁଆରି ୧୪ ସୁଦ୍ଧା ଡିପିଆର୍‌ ଦେବାକୁ ଧାର୍ଯ୍ୟ କରାଯାଇଛି। ଚୂଡ଼ାନ୍ତ ଡିପିଆର ତିଆରି କରାଯିବା ପୂର୍ବରୁ ବିଶ୍ବର ସମସ୍ତ ଚଳଚ୍ଚିତ୍ର ସହରଗୁଡ଼ିକ ବାବଦରେ ଅଧ୍ୟୟନ କରାଯିବ ଓ ପରେ ଏକ ସର୍ବୋତ୍ତମ ସଙ୍କଳନ ପ୍ରସ୍ତୁତ କରାଯିବ। ୨୦୨୨ ସୁଦ୍ଧା ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହେବା ପରେ ସେଠାରେ ଚଳଚ୍ଚିତ୍ର ସୁଟିଂ କରାଯିବ ବୋଲି ଯୋଜନା ରହିଛି।

କିନ୍ତୁ ଯୋଗୀଙ୍କ ଏହି ‌ଯୋଜନା ଉପରେ ପ୍ରତକୂଳ ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ରାଜ୍ୟ ଓ ଏହାର ଅନୁକୂଳ ପରିବେଶ ପାଇଁ କୌଣସି ଶିଳ୍ପ ଏଠାରୁ ସ୍ଥାନାନ୍ତର ହେବା ପାଇଁ ଚାହିଁବେ ନାହିଁ। ସେଥିପାଇଁ ସବୁବେଳେ ଶିଳ୍ପପତିମାନେ ମହାରାଷ୍ଟ୍ରରେ ପୁଞ୍ଜିନିବେଶ କରିବାକୁ ପସନ୍ଦ କରିଆସିଛନ୍ତି। ଯୋଗୀଙ୍କ ନାଁ’ ନ ନେଇ ପରୋକ୍ଷରେ ତାଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ କହିଛନ୍ତି, ଶିଳ୍ପକୁ ନେଇ ପ୍ରତିଯୋଗିତା ଭଲ। କିନ୍ତୁ କେହି ଯଦି ଧମକ ଦେଇ କିଛି ଛଡ଼େଇ ନେବାକୁ ଉଦ୍ୟମ କରେ, ମହାରାଷ୍ଟ୍ରବାସୀ ବରଦାସ୍ତ କରିବେ ନାହିଁ କି ତାହା କରାଇ ଦେବେ ନାହିଁ। ଠାକରେଙ୍କ ଏଭଳି ପରୋକ୍ଷ ଚେତାବନୀ ଉପରେ ତ୍ବରିତ୍ ପ୍ରତିକ୍ରିୟା ପ୍ରକାଶ କରି ଯୋଗୀ କହିଛନ୍ତି ଯେ ବଲିଉଡ୍‌ ଏକ ଵାଲେଟ୍ ନୁହେଁ ଯେ କିଏ କାହାଠାରୁ ଛଡ଼ାଇ ନେଉଛି। ପୂର୍ବଭଳି ମୁମ୍ବାଇରେ ବଲିଉଡ୍‌ ରାଜତ୍ବ କରିବ ଏବଂ ନୋଇଡା ଏକ ଆନ୍ତର୍ଜାତିକ ଚଳଚ୍ଚିତ୍ର ସହର ହେବ ବୋଲି ଯୋଗୀ ସ୍ପଷ୍ଟ କରିଛନ୍ତି। ସେହିଭଳି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ଏକ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ସେ ନୋଇଡାରେ ଏକ ଫିଲ୍ମି ସିଟି ନିର୍ମାଣ କରିବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି। ଏକଚାଟିଆ ଏବଂ ସଂକୀର୍ଣ୍ଣ ଶକ୍ତି ଅଧୀନରେ ଚଳଚ୍ଚିତ୍ର ଶିଳ୍ପ କଦାପି ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ନୋଇଡାରେ ଏଭଳି ଏକ ପ୍ରକଳ୍ପ ପାଇଁ ଯୋଜନା କରିଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଠାକରେଙ୍କ ମନ୍ତବ୍ୟ ସହ ଏକମତ ହୋ‌ଇଛି ଇଣ୍ଡିଆନ୍ ମୋସନ୍ ପିକ୍‌ଚର୍ ପ୍ରଡ୍ୟୁସର୍ ଆସୋସିଏସନ(ଆଇଏମ୍‌ପିପିଏ)। ଚଳଚ୍ଚିତ୍ର ଶିଳ୍ପ ପାଇଁ ମୁମ୍ବାଇର ପାଣିପାଗ ଓ ପରିସ୍ଥିତି ଅନ୍ୟ କୌଣସି ରାଜ୍ୟରେ ଦେଖାଯାଏ ନାହିଁ ଆଇଏମ୍‌ପିପିଏ କହିଛି। ମୁମ୍ବାଇ ଏକ ଜୀବନ୍ତ ସହର ବୋଲି ବର୍ଣ୍ଣନା କରି ଆଇଏମ୍‌ପିପିଏ କହିଛି ଯେ ଏହାର ପାଣିପାଗ ବର୍ଷ ସାରା ସୁଟିଂ ପାଇଁ ଅନୁକୂଳ। ମାତ୍ର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅନୁକୂଳ ନୁହେଁ। ଆଇଏମ୍‌ପିପିଏର ସଭାପତି ଟିପି ଅଗ୍ରଵାଲ୍ କହିଛନ୍ତି, ସିନେଶିଳ୍ପର ଜନ୍ମସ୍ଥାନ ହେଉଛି ମହାରାଷ୍ଟ୍ର ଓ ଆଗକୁ ସେୟା ହିଁ ରହିବ। କୌଣସି ନୂଆ ପ୍ରକଳ୍ପ ବଲିଉଡ୍‌ ଜଗତର ହୃଦୟରୁ ମୁମ୍ବାଇକୁ ଦୂରେଇ ପାରିବ ନାହିଁ, ହୁଏତ ହିନ୍ଦୀ ସିନେମାର ଅଭିବୃଦ୍ଧି ହେବ ବୋଲି ସେ ଆଶା କରିଛନ୍ତି। ତେବେ ମହାମାରୀ ସମୟରେ ମରାଠୀ ଚଳଚ୍ଚିତ୍ରକୁ ଯେଭଳି ପ୍ରୋତ୍ସାହନ ଦିଆଯାଇଥିଲା, ସେହିପରି ସମସ୍ତ ହିନ୍ଦୀ ଚଳଚ୍ଚିତ୍ରକୁ ମଧ୍ୟ ସବ୍‌ସିଡି ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର