କେବଳ ନୋରାଙ୍କୁ ନୁହେଁ, ତାଙ୍କ ଭିଣୋଇଙ୍କୁ ବି ଦାମୀ କାର୍ ଦେଇଥିଲେ ସୁକେଶ: ଇଓଡବ୍ଲୁ

ମୁମ୍ବାଇ: ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶଖା (ଇଓଡବ୍ଲୁ) ଗୁରୁବାର ଦିନ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ପଚରାଉଚରା କରିଥିଲା। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ସଂପୃକ୍ତି ଥିବା ନେଇ ସନ୍ଦେହ କରିବା ପରେ ଆଜି ତାଙ୍କୁ ୬ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ଇଓଡବ୍ଲୁ। ଏହି ପଚରାଉଚରା ବେଳେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ଏବଂ ନୋରାଙ୍କ ଭିଣୋଇ ବବି ମଧ୍ୟ ଉପସ୍ଥିତ ଥିଲେ। ଅଧିକାରୀମାନେ ପ୍ରଥମେ ସମସ୍ତଙ୍କୁ ଅଲଗା ଅଲଗା କୋଠରୀରେ ବସାଇ ପଚରାଉଚରା କରିବା ସହ ପରେ ମୁହାଁମୁହିଁ ବସାଇ ପ୍ରଶ୍ନ ପଚାରିଥିଲେ।

ସୂଚନା ଅନୁଯାୟୀ, ଏହି ସମୟରେ ସୁକେଶ ନୋରାଙ୍କ ଭିଣୋଇ ବବିଙ୍କୁ ୬୫ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ ଉପହାର ଦେଇଥିବା ଜଣାପଡିଛି। ପିଙ୍କି ଏବଂ ବବି ଏକଥା ଇଓଡବ୍ଲୁ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛନ୍ତି। ଏଥି ସହିତ ନୋରା ଦାବି କରିଛନ୍ତି ଯେ ସେ କେବେ ସୁକେଶ କିମ୍ବା ପିଙ୍କିଙ୍କୁ ଭେଟି ନଥିଲେ। ସେ କେବଳ ହ୍ବାଟସଆପ ମାଧ୍ୟମରେ ସୁକେଶଙ୍କ ସହ କଥା ହେଉଥିଲେ।

ଏହା ପୂର୍ବରୁ ଜଣାପଡ଼ିଥିଲା ଯେ, ଜାକଲିନ ଓ ନୋରାଙ୍କ ବ୍ୟତୀତ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଅନ୍ୟ ଚାରିଜଣ ଅଭିନେତ୍ରୀ ଭେଟିଥିଲେ। ଏହି ଚାରିଜଣ ଅଭିନେତ୍ରୀ ହେଲେ ନିକିତା ତମ୍ବୋଲି, ଚାହତ ଖନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲ। ଏମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କ ଅସଲ ପରିଚୟ ଲୁଚାଇ ନିକିତା ତମ୍ବୋଲି, ଚାହତ ଖନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲଙ୍କୁ ସୁକେଶଙ୍କ ସହ ପରିଚିତ କରାଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର