ଯାତ୍ରା ଜଗତର ଜଣାଶୁଣା ଅଭିନେତା ପୀୟୂଷ ତ୍ରିପାଠୀ ପରଦାରେ କେବେ ନାୟକ ତ ପୁଣି କେବେ ଖଳନାୟକ ଭୂମିକାରେ ନଜର ଆସି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ନିକଟରେ ତାଙ୍କ ଅଭିନୀତ ଓଡ଼ିଆ ଛବି ‘ଶମ୍ଭୁ’ ମୁକ୍ତିଲାଭ କରିଛି। ଏଥିରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ଏକ ନୂଆ ସିନେମାରେ ନାୟକ ଭାବେ ଅବତୀର୍ଣ୍ଣ ହେବାକୁ ପୀୟୂଷ ପ୍ରସ୍ତୁତ ହେଉଛନ୍ତି।

Advertisment

 ୨୦୧୦ ମସିହାରେ ପ୍ରଥମେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ରଣଜିତ ବାରିକଙ୍କ ନିର୍ଦ୍ଦେଶିତ ସିନେମା ‘ଘାଇଲା ବାଘ’ରେ ନାୟକ ଭୂମିକାରେ ଅଭିନୟ କରି ଓଲିଉଡ୍‌ରେ ପଦାର୍ପଣ କରିଥିଲେ ପୀୟୂଷ। ହେଲେ ସେହି ସିନେମାଟି ପରଦାକୁ ଆସିଲାନାହିଁ। ତା’ପରେ ସେ ଲୋକପ୍ରିୟ ମେଗା ଧାରାବାହିକ ‘ରାଜକନ୍ୟା’ରେ ବନିଥିଲେ ନାୟକ।

ଏହାପରେ କିନ୍ତୁ ପୀୟୂଷ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଲଭ୍ ୟୁ ହମେଶା’ରେ ଖଳନାୟକ ଭାବେ ନଜର ଆସିଥିଲେ। ତା’ପରେ ଫିଲ୍ମ ମୋହ ଛାଡ଼ି ସେ ଯଲିଉଡ୍‌ରେ ଏଣ୍ଟ୍ରି ନେଇଥିଲେ। ତେଣେ ବାବୁସାନ୍‌ଙ୍କ ଅଭିନୀତ ‘ବିଦ୍ୟାରାଣ’ରେ ବି ପୀୟୂଷ ଖଳନାୟକ ଭୂମିକା ତୁଲାଇଥିଲେ। ଏଥି‌ରେ ଅଭିନୟକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ସେ।

ଏବେ ପୀୟୂଷ ଯେଉଁ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ତା’ର ଟାଇଟଲ୍ ହେଲା ‘ଏଡ଼ା’। ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ଓଡ଼ିଆ ଛବି ‘କାଇଁଚମାଳି ମାଟିର ଛିଟାରେ ଆମ ମାଟିର ଗପ’ ଫେମ୍ ମହେଶ ହାଜରା। ଜଣାଶୁଣା ସଂଳାପକାର ଡକ୍ଟର ଦୀପକ ଜେନା ଏହାର ସଂଳାପ ଲେଖିଛନ୍ତି। ଅର୍ଚିଡ୍ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ନିର୍ମାଣାଧୀନ ଏହି ସିନେମାର ପ୍ରାଯାଜନା ଭାର ତୁଲାଉଛନ୍ତି ସଞ୍ଜୀବ ପାଢ଼ୀ।