‘ଲେଡି ସିଂଘମ’ର ଆଇଡିଆ କ୍ୟାଟ୍ରିନାଙ୍କଠୁ ପାଇବା ପରେ ଦୀପିକାଙ୍କୁ ଫିଲ୍ମ ସାଇନ୍‌ କରାଇଲେ ରୋହିତ

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମିଡିଆ ଫ୍ରାଞ୍ଚାଇଜି ‘କପ୍‌ ୟୁନିଭରର୍ସ’ର ଚଳଚ୍ଚିତ୍ରରେ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରବେଶ କରି ସାରିଛନ୍ତି। ପ୍ରଥମ ଥର ପାଇଁ ରୋହିତଙ୍କ ଏହି ‘କପ୍‌ ୟୁନିଭରର୍ସ’ ସରିଜରେ ଜଣେ ମହିଳା ପୁଲିସ୍‌ ଭାବେ ନଜର ଆସିବେ। ଏହି ଖବର ମିଳିବା ପରେ ହିଁ ଦୀପିକା ପାଦୁକୋନ ଓ ‘ସିଂଘମ’ର ପ୍ରଶଂସକମାନେ ଖୁସିରେ ଝୁମି ଉଠିଛନ୍ତି।

ତେବେ ଆପଣ ଜାଣନ୍ତି କି ଦୀପିକା ଏହି ଭୂମିକା ନିଭାଇବେ ବୋଲି ରୋହିତ ସେଟ୍ଟୀ ଡିସେମ୍ବର ୮ ତାରିଖରେ ଘୋଷଣା କରିଥିଲେ। ତେବେ ଏହି ଆଇଡିଆ ତାଙ୍କୁ ମିଳିଥିଲା କ୍ୟାଟ୍ରିନା କୈଫ୍‌ଙ୍କ ପାଖରୁ। କେବଳ ସେତିକି ନୁହେଁ, ଲେଡି ସିଂଘମ ବନିବାକୁ କ୍ୟାଟ୍ରିନା ମଜାରେ ମଜାରେ ଅଡିସନ୍‌ ବି ଦେଇଥିଲେ। ଏହି ଅବସରରେ ସେ ଫିଲ୍ମ ‘ସିମ୍ବା’ର ରଣବୀର ସିଂହଙ୍କ ଲୋକପ୍ରିୟ ସଂଳାପକୁ ବି କହିଥିଲେ।

ଗତ ବର୍ଷ କ୍ୟାଟ୍‌ଙ୍କୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ପ୍ରମୋସନ ପାଇଁ କ୍ୟାଟ୍‌ ରଣବୀର ସିଂହଙ୍କ ଗେମ୍‌ ସୋ’ ‘ଦ ବିଗ୍‌ ପିକ୍ଚର’ରେ ପହଞ୍ଚିଥି‌ଲେ। ସେଠାରେ ତାଙ୍କ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବି ନଜର ଆସିଥିଲେ। ସୋ’ରେ ମସ୍ତି ଚାଲିଥିବା ବେଳେ କ୍ୟାଟ୍‌ ରୋହିତଙ୍କୁ କହିଥିଲେ ଯେ ‘ମୋ‌ତେ ଲାଗୁଛି ଆପଣଙ୍କୁ ମହିଳା ପୁଲିସ୍‌ ଉପରେ ଏକ ଫିଲ୍ମ କରିବା ଉଚିତ’। ଏହାପରେ ଅଭିନେତ୍ରୀ ପୁଲିସ୍‌ର ରୂପ ଧାରଣ କରି ମଞ୍ଚ ଉପରେ ଅଡିସନ୍‌ ବି ଦେଇଥିଲେ। ଏହାକୁ ଦେଖି ରୋହିତ ସେଟ୍ଟୀ ବି ଖୁବ୍‌ ଖୁସି ହୋଇଥିଲେ।

ଏହି ଘଟଣା ଯଦିଓ କୌତୁକୀୟା ପରିବେଶରେ ଘଟିଥିଲା କିନ୍ତୁ ତାହା ରୋହିତଙ୍କୁ ପ୍ରଭାବିତ କରିଥିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର