ମୁମ୍ବାଇ: ଗତକାଲି ବିବାଦୀୟ ବ୍ୟବସାୟୀ ତଥା ଆଇପିଏଲ୍‌ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ସହ ଦୁଇଟି ଫଟୋ ସେୟାର୍‌ କରିବା ପରେ ସେମାନଙ୍କ ନିର୍ବନ୍ଧ ଓ ବିବାହକୁ ନେଇ ଅନେକ ଚର୍ଚ୍ଚା ଜୋର୍‌ ଧରିଛି। ମାତ୍ର ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ସୁସ୍ମିତା। ସେ ତାଙ୍କର ୨ ପାଳିତ ଝିଅଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର୍‌ କରି ନିର୍ବନ୍ଧ ଓ ବିବାହ ଖବରକୁ ଗୁଜବ ବୋଲି କହିଛନ୍ତି।

Advertisment

ସେ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି, ‘ମୁଁ ଏକ ଖୁସି ଜାଗରେ ଅଛି। ବିବାହ ନୁହେଁ କି ମୁଦି ନୁହେଁ। ନିସର୍ତ୍ତ ଭଲପାଇବାର ଘେରରେ ଅଛି। ଯ‌ଥେଷ୍ଟ ସଫେଇ ଦେଇଦେଲି। ଏବେ ଜୀବନ ଓ କାମକୁ ଫେରିବାର ବେଳ। ମୋ ଖୁସିକୁ ସର୍ବଦା ବାଣ୍ଟୁଥିବାରୁ ଆପଣମାନଙ୍କୁ ଅନେକ ଧନ୍ୟବାଦ୍‌।’

ବିବାଦୀୟ ବ୍ୟବସାୟୀ ତଥା ଆଇପିଏଲ୍‌ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଗତକାଲି ସୁସ୍ମିତାଙ୍କ ସହ ଦୁଇଟି ଫଟୋ ସେୟାର୍‌ କରିବା ସହ ନୂଆ ଆରମ୍ଭ ବୋଲି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଲେଖିଥିଲେ। ତେବେ ସେ ବିବାହ କରିିନାହାନ୍ତି ବୋଲି ମଧ୍ୟ ତାଙ୍କ ପୋଷ୍ଟ୍‌ରେ ସ୍ପଷ୍ଟ କରି ଥିଲେ।

ତେବେ ସୁସ୍ମିତାଙ୍କ ହାତରେ ଥିବା ମୁଦିକୁ ଦେଖି ତାଙ୍କର ନିର୍ବନ୍ଧ ହୋଇସାରିଛି ବୋଲି ପ୍ରଶଂସକମାନେ ଅନୁମାନ ଲଗାଇଥିଲେ। ଅଧିକାଂଶ ସ୍ଥାନରେ ସୁସ୍ମିତା ତାଙ୍କ ମୁଦିକୁ ଦେଖାଇ ଫଟୋ ଉଠାଇଥିବାରୁ ପ୍ରଶଂସକଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା। ଏହି ମୁଦି ଳଲିତ ସୁସ୍ମିତାଙ୍କୁ ଉପହାର ଦେଇ ଥାଇପାରନ୍ତି ବୋଲି କଥା ଉଠିଥିଲା। ମାତ୍ର ସେ ସବୁ ଆଲୋଚନାରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁସ୍ମିତା।