ସମ୍ବଲପୁରର ଶେଷ ରାଜା ଅପୁତ୍ରକ ହୋଇ ପ୍ରାଣତ୍ୟାଗ କରିବା ପରେ ରାଜସ୍ବତ୍ବ ଲୋପ ନୀତିରେ ସମ୍ବଲପୁର ୧୮୪୯ରେ ଇଂରେଜଙ୍କ ଅଧୀନକୁ ଗଲା। ୧୮୫୦ ଜାନୁଆରି ପହିଲାରେ ସ୍ବତନ୍ତ୍ର ଜିଲ୍ଲା ହୋଇ ବ୍ରିଟିସ୍‌ ସରକାରଙ୍କ ପ୍ରତ୍ୟକ୍ଷ ଶାସନକୁ ଆସିଲା। ଫଳରେ ମଧ୍ୟପ୍ରଦେଶର ଚିଫ୍ କମିସନର୍‌ ଏହାର ଶାସନ ଭାର ସମ୍ଭାଳିଲେ। ସେତେବେଳକୁ ଖରିଆର ଜମିଦାରୀ (ବର୍ତ୍ତମାନର ନୂଆପଡ଼ା ଜିଲ୍ଲା) ସମ୍ବଲପୁର ଜିଲ୍ଲାରେ ଥିଲା। ଏହାପରେ ୧୮୬୦ରେ ସମ୍ବଲପୁର ଜିଲ୍ଲା ମଧ୍ୟପ୍ରଦେଶରୁ ଆସି ଓଡ଼ିଶା ଡିଭିଜନ୍‌ ଅନ୍ତର୍ଗତ ବଙ୍ଗପ୍ରଦେଶରେ ମିଶିଲା। ପୁଣି ୧୮୬୨ରେ ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନ୍‌କୁ ଫେରିଗଲା ଏବଂ ୧୯୦୫ ଅକ୍‌ଟୋବର ୧୬ରେ ଖଣ୍ଡବିଖଣ୍ଡିତ ହୋଇ ଓଡ଼ିଶା ଡିଭିଜନ୍‌ରେ ପୁନଃ ସାମିଲ ହେଲା। ଏହି ମିଶ୍ରଣ‌ ବେଳେ ଖରିଆର ଜମିଦାରୀ ଓଡ଼ିଶାକୁ ନ ଆସି ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାରେ ରହିଯାଇଥିଲା, ଯଦିଓ ସେଠାକାର ଭାଷା, ସଂସ୍କୃତି, ପ୍ରଜା, ଶାସକ ଓଡ଼ିଆ ଥିଲେ।

Advertisment

ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ କରିବାକୁ ୧୯୩୧ ସେପ୍‌ଟେମ୍ବର ୧୮ ତାରିଖରେ ଓଡୋନେଲ୍‌ କମିଟି ଗଠିତ ହେଲା। ଏହାପରେ କମିଟି ରାୟପୁରରେ ସାକ୍ଷ୍ୟ ଗ୍ରହଣକରି ମଧ୍ୟପ୍ରଦେଶର କୌଣସି ଅଂଶ ଓଡ଼ିଶାରେ ନମିଶାଇବାକୁ ନିଷ୍ପତ୍ତି କଲେ। ଖରିଆର ଜମିଦାରୀର ରାଜା ଥିଲେ ଆର୍ତ୍ତତ୍ରାଣ ସିଂହଦେଓ (୧୯୦୦-୧୯୪୬)। ବାଲ୍ୟକାଳରେ ପିତାଙ୍କୁ ହରାଇଥିବାରୁ ଖରିଆର ‘କୋର୍ଟ ଅଫ୍ ୱାର୍ଡସ୍’ (ବ୍ରିଟିସ୍‌ ପରିଚାଳନା)କୁ ଚାଲିଗଲା। ରାୟପୁରର ତତ୍‌କାଳୀନ ଜିଲ୍ଲାପାଳ ସାର୍ ଚିନ୍ତାମନ ଦ୍ବାରକାନାଥ ଦେଶମୁଖଙ୍କ ତତ୍ତ୍ବାବଧାନରେ ଆର୍ତ୍ତତ୍ରାଣଙ୍କ ଶିକ୍ଷା ବ୍ୟବସ୍ଥା କରାଗଲା। ଆର୍ତ୍ତତ୍ରାଣ ୧୯୨୧ରେ ସାବାଳକ ହେବାପରେ ଶାସନ ଭାର ହାତକୁ ନେଇଥିଲେ। ସେ ସମୟର ଜଣେ ନାମଜାଦା ଫୌଜଦାରୀ ଓକିଲ ତଥା ବ୍ୟବସ୍ଥାପକ ସଭାର ଆଇନ ସଭ୍ୟ ସାର୍ ହୀରା ଦାସ ଗୌରଙ୍କ ସହ ଆର୍ତ୍ତତ୍ରାଣଙ୍କ ପରିଚୟ ଥିଲା, କାରଣ ତାଙ୍କ ପିତା ରାଜା ବ୍ରଜରାଜ ସିଂହଦେଓ ଗୌରଙ୍କୁ ଉଚ୍ଚଶିକ୍ଷା ଲାଭରେ ସାହାଯ୍ୟ କରିଥିଲେ। ଓଡ଼ିଶା ପ୍ରଦେଶରେ ନ ମିଶିବାକୁ ରାଜା ଆର୍ତ୍ତତ୍ରାଣଙ୍କୁ ଉଭୟ ଗୌର ଓ ଦେଶମୁଖ ପ୍ରବର୍ତ୍ତାଇ ଥିଲେ। ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ରାଜା ଓଡୋନେଲ୍‌ କମିଟିକୁ ଜଣାଇଦେଲେ ଯେ ଖରିଆର ଓଡ଼ିଶାରେ ମିଶିବ ନାହିଁ।

ଏହାପରେ କମିସନ୍‌ ସାକ୍ଷ୍ୟ ଗ୍ରହଣ ଲାଗି ସମ୍ବଲପୁର ଆସିଲେ ଏବଂ ତତ୍‌କାଳୀନ ଡେପୁଟି କମିସନର୍‌ ନୀଳମଣି ସେନାପତିଙ୍କ ସରକାରୀ ବାସଭବନରେ ଅବସ୍ଥାନ କଲେ। ସେ ସମୟରେ ମଧ୍ୟପ୍ରଦେଶର ଡେପୁଟି କମିସନର ଥିବା ରବୀନ୍ଦ୍ରନାଥ ବେନାର୍ଜୀ ସମ୍ବଲପୁରର ଛାତ୍ର ଥିଲେ ଏବଂ ରାୟପୁର ଡେପୁଟି କମିସନର୍‌ ଥିବା ସମୟରେ ସେ ଅନୁଧ୍ୟାନ କରି ଜାଣିଥିଲେ ଯେ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମଧ୍ୟପ୍ରଦେଶରେ ରହିଛି। ଏ ସଂପର୍କରେ ସେ ସରକାରଙ୍କୁ ଅବଗତ କରାଇଥିଲେ। ଓଡୋନେଲ୍‌ କମିଟିକୁ ବେନାର୍ଜୀଙ୍କ ଏହି ରିପୋର୍ଟ ପ୍ରଦାନ କରାଗଲା। ତେବେ କମିଟି ଗମନାଗମନ ସୁବିଧା ନାହିଁ ଏବଂ ଜମିଦାରମାନେ ଓଡ଼ିଶା ସହ ମିଶିବାକୁ ରାଜି ନୁହନ୍ତି ବୋଲି ମତ‌ ରଖିଲେ। ପୁଣି ସଂପୃକ୍ତ ଅଞ୍ଚଳର ଭୂ-ବନ୍ଦୋବସ୍ତର ରେକର୍ଡ ହିନ୍ଦୀ ଭାଷାରେ ଅଛି ବୋଲି ଦର୍ଶାଇଲେ। ତେବେ ସ୍ଥାନୀୟ ଅଧିବାସୀ ସାକ୍ଷ୍ୟ ପ୍ରଦାନକରି ଜଣାଇଦେଲେ ଯେ ଜମିବାଡ଼ି କାଗଜାତ୍‌ ରୟତମାନଙ୍କୁ ଓଡ଼ିଆରେ ଦିଆଯାଇଥାଏ। ତା’ପରେ ହିନ୍ଦୀଭାଷୀ ଅଧିକାରୀଙ୍କ ସୁବିଧା ନିମନ୍ତେ ହିନ୍ଦୀରେ ପ୍ରସ୍ତୁତ ନକଲ କେବଳ ସରକାରୀ ରେକର୍ଡ ରୁମ୍‌ରେ ରଖାଯାଇଥାଏ। ସମ୍ବଲପୁରର ମହମ୍ମଦ୍‌ ସାଲିଆଙ୍କର ଖରିଆରରେ ପେଟ୍ରୋଲ ପମ୍ପ୍‌ ଥିଲା। ରାତିରେ ତାଙ୍କର ଫୋର୍ଡ ଗାଡ଼ି ଧରି ସମ୍ବଲପୁରରୁ ଖରିଆର ଯାଇ ପୁଣି ଫେରି ଆସିବାକୁ ଡେପୁଟି କମିସନର୍‌ ସେନାପତି ନିର୍ଦ୍ଦେଶ ଦେଲେ। ଏ କାର୍ଯ୍ୟସାରି ସାଲିଆ କମିଟି ଆଗରେ ପ୍ରାମାଣିକ ତଥ୍ୟ ସହ ସାକ୍ଷ୍ୟ ଦେଲେ ଯେ ଗମନାଗମନର କୌଣସି ଅସୁବିଧା ନାହିଁ।  ଫଳରେ ଖରିଆର ଓଡ଼ିଶାରେ ମିଶିବା ଲାଗି ଉଠୁଥିବା ଆପତ୍ତିଗୁଡ଼ିକ କାଟ ଖାଇଗଲା। ଏହାପରେ ନୀଳମଣି ସେନାପତି ରାଜା ଆର୍ତ୍ତତ୍ରାଣ ସିଂହଦେଓଙ୍କ ସହିତ ବିସ୍ତୃତ ଆଲୋଚନା କରି ତାଙ୍କୁ ଓଡ଼ିଶାରେ ମିଶିବାକୁ ରାଜି କରାଇଲେ।
ଶେଷରେ ୧୯୩୬ ଏପ୍ରିଲ୍‌ ପହିଲାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳେ ଖରିଆର ଜମିଦାରୀ ଓଡ଼ିଶାରେ ମିଶିଲା। ରେଳ ଷ୍ଟେସନ୍‌ଠାରୁ ଖରିଆର ବହୁ ଦୂରରେ ଥିବା ଯୋଗୁଁ ନୂତନ ଗ୍ରାମ ‘ଟନ୍‌ୱାନ୍ ନୂଆପଡ଼ା’ ସ୍ଥାପନ କରାଯାଇ ଏହାକୁ ଏକ ସବ୍‌ଡିଭିଜନ୍‌ ଭାବେ ଘୋଷଣା କରାଯାଇ ସମ୍ବଲପୁର ଜିଲ୍ଲାରେ ରଖାଯାଇଥିଲା। ନୂତନ ସବ୍‌ଡିଭିଜନ୍ ନୂଆପଡ଼ାଠାରୁ ବରଗଡ଼ର ସୋହେଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ମାଗଣାରେ ନିଜ ଜମି ଦାନ କରି ରାଜା ଆର୍ତ୍ତତ୍ରାଣ ପ୍ରଶଂସାର ପାତ୍ର ହୋଇଥିଲେ। ୧୯୫୦ରେ କଳହାଣ୍ଡି ଜିଲ୍ଲା ଗଠନ ବେଳେ ସମ୍ବଲପୁର ଜିଲ୍ଲାରୁ ଯାଇ ନୂଆପଡ଼ା ସବ୍‌ଡିଭିଜନ୍‌ ସେଥିରେ ସାମିଲ ହୋଇଥିଲା। ଏହାପରେ ୧୯୯୦ରେ ନୂଆପଡ଼ା ସ୍ବତନ୍ତ୍ର ଜିଲ୍ଲା ‌ହୋଇଥିଲା।