ଗ୍ଲାମର ଦୁନିଆ ଛାଡି ସନ୍ୟାସିନୀ ହୋଇଗଲେ ଏହି ଟେଲି ଅଭିନେତ୍ରୀ

ମୁମ୍ବାଇ: ଗ୍ଲାମର ଇଣ୍ଡଷ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ | ଏହି ଚକାଚକ ଦୁନିଆରେ କାମ କରୁଥିବା ଅଭିନେତା/ଅଭିନେତ୍ରୀଙ୍କ ଟିକେ ଝଲକ ପାଇବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ଏହି ଦୁନିଆରେ ଅଭିନୟ କରୁଥିବା ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗ୍ଲାମର ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି | ଓଲିଉଡର ଶ୍ରୀରାମ ପଣ୍ଡାଙ୍କ କଥା ତ ଆପଣ ଜାଣିଥିବେ | ଏବେ ଆଉ ଜଣେ ଟେଲି ଅଭିନେତ୍ରୀ ଏବେ ସନ୍ୟାସିନୀ ହୋଇ ସବୁଦିନ ପାଇଁ ଗ୍ଲାମର ଦୁନିଆରୁ ବିଦାୟ ନେଇଛନ୍ତି | ପାଖାପାଖି ୨୭ ବର୍ଷ କାମ କରିବା ପରେ ସେ ଅଭିନୟ ଜଗତ ଛାଡି ସନ୍ୟାସିନୀ ହୋଇଯାଇଛନ୍ତି | ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ନୁପୁର ଅଳଙ୍କାର |

ଖୋଦ ନୁପୁର ବର୍ତ୍ତମାନ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିଥିବା ନେଇ ସୂଚନା ଦେଇଛନ୍ତି | ନୁପୁର ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ(CINTAA) ର କମିଟି ସଦସ୍ୟ ରହିଆସିଛନ୍ତି। ଏହି ସମୟରେ ସେ ତାଙ୍କର ଆଧ୍ୟାତ୍ମିକ ଗୁରୁଙ୍କୁ ଭେଟିଥିଲେ। ନୁପୁର କହିଛନ୍ତି, ‘ମୁଁ ସର୍ବଦା ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିଲି ଏବଂ ଆଧ୍ୟାତ୍ମିକତାକୁ ଅନୁସରଣ କରି ଆସୁଛି | ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛି ଏବଂ ବର୍ତ୍ତମାନ ହିମାଳୟ ଅଭିମୁଖେ ଯାଉଛି ।

ସେ କହିଛନ୍ତି ଯେ, “ଏହା ପ୍ରକୃତରେ ଏକ ବଡ ପଦକ୍ଷେପ। ହିମାଳୟରେ ରହିବା ଦ୍ୱାରା ମୋର ଆଧ୍ୟାତ୍ମିକ ଯାତ୍ରାରେ ମୋତେ ଅଧିକ ସାହାଯ୍ୟ ମିଳିବ | ମୋ ଜୀବନରେ ଡ୍ରାମାର ଆଉ ସ୍ଥାନ ନାହିଁ’। ସେ କହିଛନ୍ତି, ‘ଡିସେମ୍ବର ୨୦୨୦ ରେ ମା’ଙ୍କ ମୃତ୍ୟୁ ପରେ ମୁଁ ଅନୁଭବ କଲି ଯେ ବର୍ତ୍ତମାନ ମୋର କିଛି ହରାଇବାକୁ ନାହିଁ। ମୁଁ ସମସ୍ତ ଆଶା ଏବଂ କର୍ତ୍ତବ୍ୟରୁ ମୁକ୍ତି ପାଇଛି | ସୂଚନା ଥାଉ କି ୪୯ ବର୍ଷୀୟ ଅଭିନେତ୍ରୀ ୧୫୦ ରୁ ଅଧିକ ଟିଭି ସୋରେ ଅଭିନୟ କରିଥିଲେ। ଏଥିରେ ‘ଶକ୍ତିମାନ’, ‘ଘର କି ଲକ୍ଷ୍ମୀ ବେଟିୟାଏଁ’, ‘ଦିୟା ଓର ବାତି ହମ୍’ ପ୍ରମୁଖ ରହିଛି |

ସମ୍ବନ୍ଧିତ ଖବର