ବଙ୍ଗାଳୀ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ କିଛି ବର୍ଷ ହେଲା ଭିନ୍ନ ଭିନ୍ନ କାରଣରୁ ବିବାଦରେ ରହିଆସିଛନ୍ତି। ଏବେ ତାଙ୍କ ଲୋକସଭା କ୍ଷେତ୍ରରେ ‘ନୁସରତ ଜହାଁ ନିରୁଦ୍ଦିଷ୍ଟ!’ ଶୀର୍ଷକ ପୋଷ୍ଟର୍ମାନ ଦେଖିବାକୁ ମିଳିଛି। ତେବେ ବାସ୍ତବରେ ସେ ନିଖୋଜ ହୋଇନାହାନ୍ତି। ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ନିୟମିତ ମନୋମୁଗ୍ଧକର ଫଟୋ ଛାଡ଼ି ସେ ନିଜର ସୁରକ୍ଷା ଓ ଉପସ୍ଥିତି ଜାହିର କରୁଛନ୍ତି। ତେବେ ଦୀର୍ଘ ଦିନ ଧରି ସେ ନିଜର ସଂସଦୀୟ କ୍ଷେତ୍ରରେ ଅନୁପସ୍ଥିତ ରହିବାରୁ ସ୍ଥାନୀୟ ନେତାମାନେ ଏଭଳି ପୋଷ୍ଟର ଲଗାଇଛନ୍ତି ବୋଲି ଜଣାପଡ଼ିଛି। ତାଙ୍କ ରାଜନୈତିକ ଜୀବନ ଯାହା ହେଉ ପଛେ, ସେ ବଙ୍ଗାଳୀ ସିନେମାର ଜଣେ ଅଗ୍ରଣୀ ନାୟିକା। ସେ ନିଜ ଗୋଡ଼ରେ ଠିଆ ହୋଇ ମାତ୍ର ଦଶ ବର୍ଷର ଅଭିନୟ ଜୀବନରେ ପଚିଶରୁ ଅଧିକ ବଙ୍ଗାଳୀ ସିନେମାରେ ନିଜର ନିପୁଣତା ଦେଖାଇ ପ୍ରତିଷ୍ଠିତ ହୋଇପାରିଛନ୍ତି।
ବିବାଦୀୟ ଦାମ୍ପତ୍ୟ ଜୀବନରେ କିଛି ଅପ୍ରତ୍ୟାଶିତ ଭଟ୍ଟାକୁ ସାମନା କରିଥିଲେ ହେଁ ତାଙ୍କ ଅଭିନୟ ଜୀବନ ବେଶ ଉତ୍ସାହଜନକ ରହିଆସିଛି। ୨୦୧୦ରେ ‘ଫେୟାର ଵାନ୍ କୋଲକାତା ସୁନ୍ଦରୀ’ ମୁକୁଟ ଧାରଣ କରିବା ପରେ ମଡେଲିଂରେ ନିଜକୁ ସମର୍ପି ଦେଇଥିବା ନୁସରତ୍ ତହିଁ ପରବର୍ଷ ବଙ୍ଗାଳୀ ସିନେମା ‘ଶତ୍ରୁ’ ମାଧ୍ୟମରେ ପ୍ରଥମ ପଦାର୍ପଣ କରି ଦର୍ଶକ ମହଲରେ ହଇଚଇ ସୃଷ୍ଟି କରିଥିଲେ। ଏହାପରେ ସେ ଆଉ ପଛକୁ ନ ଚାହିଁ ‘ଖୋକା ୪୨୦’, ‘ଖିଲାଡ଼ି’, ‘ଆକ୍ସନ୍’, ‘ଜମାଇ ୪୨୦’, ‘ଲଭ୍ ଏକ୍ସପ୍ରେସ’, ‘ଆମି ଜେ କେ ତୋମାର’, ‘କ୍ରିସକ୍ରସ’ ଓ ‘ନକାବ’ ଆଦି ସିନେମାରେ ନିଜର କମାଲ୍ ବରଷି ଚାଲିଥିଲେ। ଏପରିକି ଜଣେ ସାଂସଦ ପରି ଗୁରୁତ୍ବପୂର୍ଣ୍ଣ ଲୋକପ୍ରତିନିଧିର ଭୂମିକା ତୁଲାଇ ମଧ୍ୟ ସେ କୋଭିଡ୍ ପରବର୍ତ୍ତୀ ‘ଅସୁର’ ଓ ‘ସ୍ବସ୍ତିକ ସଂକେତ’ ପରି ଚଳଚ୍ଚିତ୍ର ମାଧ୍ୟମରେ ନିଜର ପ୍ରଶଂସକମାନଙ୍କୁ ଆପ୍ୟାୟିତ କରିବାକୁ ଭୁଲିନାହାନ୍ତି। ଚଳିତବର୍ଷ ତାଙ୍କର ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ‘ଜୟ କାଳୀ କୋଲକାତାବାଲି’ ଓ ‘ମାଷ୍ଟରମୋସାଇ ଅପନି କିଚୁ ଦେଖେନି’ ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି। ବ୍ୟକ୍ତିଗତ ଜୀବନରେ ୨୦୧୮ରୁ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ସମ୍ପର୍କରେ ଥିବା ନୁସରତଙ୍କର ୨୦୧୯ରେ ତୁର୍କୀରେ ମଧ୍ୟ ଏକ ବର୍ଣ୍ଣାଢ୍ୟ ବିବାହୋତ୍ସବ ହୋଇଥିଲା। ମାତ୍ର ସେହି ଅନ୍ତଃସଂପ୍ରଦାୟ ବିବାହ ଆଇନସମ୍ମତ ନଥିଲା ଏବଂ କେବଳ ସହବାସ ଜୀବନ(ଲିଭ୍-ଇନ୍-ରିଲେସନ୍ସିପ୍) ଥିଲା ବୋଲି ସେ ପରେ ଦାବି କରିଥିଲେ। ପରେ ଅଭିନେତା ଯଶ ଦାସଗୁପ୍ତାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଗତବର୍ଷ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/f564h65fs465fh4fh654f65fh.jpg)