ମୁମ୍ବାଇ: ଅଜୟ ଦେବଗନ ଓ କାଜଲଙ୍କ ଅଲିଅଳୀ କନ୍ୟା ନ୍ୟାସା ନିକଟରେ ପିତାଙ୍କ ‘ଏନ୍ୱାଇ ଫାଉଣ୍ଡେସନ୍’ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନ୍ୟାସା ଏକ ଡିଜିଟାଲ୍ ଲାଇବ୍ରେରି ଉଦ୍ଘାଟନ କରିବା ସହିତ ମହାରାଷ୍ଟ୍ର ଗ୍ରାମାଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବାଣ୍ଟିଥିଲେ। ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲାଗି ସେ ଯେଉଁ ଭାଷଣ ଦେଇଥିଲେ ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ପଢ଼ିବାର ମହତ୍ତ୍ବ ବୁଝାଇବାକୁ ଚେଷ୍ଟା କଲା ବେଳେ ନ୍ୟାସାଙ୍କର ହିନ୍ଦୀ ଉଚ୍ଚାରଣ ଅସ୍ପଷ୍ଟ ଶୁଭୁଥିଲା ଏବଂ ବାକ୍ୟ ମଝିରେ ସେ ବାରମ୍ବାର ଅଟକିଯାଉଥିଲେ। ତେଣୁ ସାମାଜିକ ଗଣମାଧ୍ୟମରେ ଲୋକେ ଏହାକୁ ନେଇ ଟୀକା ଟିପ୍ପଣୀ ଆରମ୍ଭ କରିଦେଇଛନ୍ତି। ଜଣେ ଲେଖିଛନ୍ତି କ୍ୟାଟ୍ରିନା କୈଫ୍ ସୁଦ୍ଧା କ୍ୟାରିୟର୍ ଆରମ୍ଭରେ ନ୍ୟାସାଙ୍କ ଠାରୁ ଭଲ ହିନ୍ଦୀ କହୁଥିଲେ। ଆଉ ଜଣେ ଅଜୟ ଓ କାଜଲଙ୍କୁ ଏଭଳି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହେବା ଲାଗି ଦାୟୀ କରିଛନ୍ତି।
ନ୍ୟାସା ଯଦି ହିନ୍ଦୀରେ ଭାଷଣ ଦେବାକୁ ପ୍ରସ୍ତୁତ ନ ଥିଲେ ତେବେ ପିତାମାତା ତାଙ୍କୁ ବାଧ୍ୟ କରିବା ବଦଳରେ ଇଂରେଜୀରେ ଭାଷଣ ଦେବାକୁ କହିବାର ଥିଲା ବୋଲି କେହି କେହି ମତ ଦେଇଛନ୍ତି। ୧୯ ବର୍ଷୀୟା ନ୍ୟାସା ହେଉଛନ୍ତି ଅଜୟ ଓ କାଜଲଙ୍କ କନିଷ୍ଠ ସନ୍ତାନ। ସେ ସିଙ୍ଗାପୁରର ଏକ ସ୍କୁଲ୍ରେ ପଢ଼ିବା ପରେ ଏବେ ସ୍ବିଜରଲାଣ୍ଡ୍ରେ ଉଚ୍ଚଶିକ୍ଷା ହାସଲ କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ତାଙ୍କ ହିନ୍ଦୀ ଉଚ୍ଚାରଣ ସେତେ ଭଲ ନୁହେଁ; ତାଙ୍କୁ ଏଥିପାଇଁ ବିଦ୍ରୂପ କରିବା ବଦଳରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିବା ଉଚିତ ବୋଲି ନ୍ୟାସାଙ୍କ ସମର୍ଥନରେ କିଛି ଲୋକ ଯୁକ୍ତି ବାଢ଼ିଛନ୍ତି। ନ୍ୟାସା ବନ୍ଧୁମାନଙ୍କ ସହିତ ଭ୍ରମଣ ଓ ପାର୍ଟି କରୁଥିବାର ଫଟୋ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ପିତା ଅଜୟଙ୍କ କହିବା ଅନୁଯାୟୀ ସେ ଆଗକୁ ବଲିଉଡ୍ରେ ପାଦ ଦେବେ କି ନାହିଁ ଏ ଯାଏ ସ୍ଥିର ହୋଇନାହିଁ।