ପୂଜା ସିଜନ୍‌ର ପ୍ରଥମ ପାଳି: ମୁକ୍ତିଲାଭ କରିବ ପ୍ରେମତ୍ରିକୋଣୀୟ ଓଡ଼ିଆ ସିନେମା ‘ଓଏ ଅଞ୍ଜଳି’

‘ଓଏ ଅଞ୍ଜଳି ଏକ ରୋମାଣ୍ଟିକ୍ ଥ୍ରିଲର ଡ୍ରାମା। ରାଜ ଓ ଆକାଶ ଦୁଇ ଯୁବକ ଓ ଜଣେ ଯୁବତୀ ଅଞ୍ଜଳିଙ୍କ ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ। କିଏ ହେବ ଅଞ୍ଜଳିର; ଏହା ବଡ଼ ଜଟିଳ ପ୍ରଶ୍ନ ସୃଷ୍ଟି କରିଛି। ଏଥିପାଇଁ ଦୁଇ ଯୁବକଙ୍କୁ ବହୁତ କିଛି ହରାଇବାକୁ ପଡ଼ିଛି। ପ୍ରେମର ଏକ ଅଜବ ଅଭାବନୀୟ ପରିସ୍ଥିତିରେ ରାଜ ନା ଆକାଶ କିଏ ବାଜି ଜିତୁଛି, ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ। ପ୍ରେମର ଏକ ନୂଆ କାହାଣୀକୁ ସିନେମା ପରଦାରେ ପ୍ରତିଫଳିତ କରିବାକୁ ପ୍ରୟାସ କରାଯାଇଛି।

ଏଇ ଚଳଚ୍ଚିତ୍ରକୁ ସୁଦୃଶ୍ୟ ଓ ଜୀବନ୍ତ କରିବା ପାଇଁ ଏହାର ଅନେକ ଦୃଶ୍ୟ ଉତ୍ତରାଖଣ୍ଡର ବିଭିନ୍ନ ସୌନ୍ଦର୍ଯ୍ୟମୟ ସ୍ଥାନରେ ଚିତ୍ରୋତ୍ତୋଳନ କରାଯାଇଛି। ଏହା ବ୍ୟତୀତ କିଛି ଦୃଶ୍ୟାୟନ ମଧ୍ୟ ଏରି ଅଲେକ୍ସ ଅକ୍ସ କୋଠରି ମଧ୍ୟରେ ସୁଟ୍ କରାଯାଇଛି, ଯାହା ବେଶ୍‌ ବ୍ୟୟବହୁଳ। ନିର୍ଦ୍ଦେଶକ ରମାଶଙ୍କର ଏହି ଚଳଚ୍ଚିତ୍ରଟିକୁ ରୋଚକ ଓ ମନୋରଂଜକ କରିବାକୁ ଯଥେଷ୍ଟ ପ୍ରୟାସ କରିଛନ୍ତି। ଏହାର ସଂଳାପ, ସଙ୍ଗୀତ, ଚିତ୍ରୋତ୍ତୋଳନ, ସମ୍ପାଦନା; କେଉଁଥିରେ ବି ସେ ସାଲିସ କରିନାହାନ୍ତି। ମୁମ୍ବାଇ, ପଞ୍ଜାବ, ଉତ୍ତରପ୍ରଦେଶ, ଚେନ୍ନାଇ ଏବଂ ଓଡ଼ିଶାର ଟେକ୍‌ନିସିଆନ୍‌ମାନେ ମିଳିତ ଭାବେ କାମ କରିଛନ୍ତି। ଏଥିରେ ରାଜ ଭୂମିକାରେ ସ୍ବରାଜ, ଆକାଶ ଭୂମିକାରେ ଶ୍ରେୟାନ୍‌ ଓ ଅଞ୍ଜଳି ଭୂମିକାରେ ମାନବୀ ପଟେଲଙ୍କ ଅଭିନୟ କରିଛନ୍ତି।

‘ଓଏ ଅଞ୍ଜଳି’ରେ କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ରମାଶଙ୍କର ଏବଂ ପ୍ରଯୋଜନା କରିଛନ୍ତି ସୁମନ ବର୍ମା। କ୍ରିଏଟିଭ ଡାଇରେକ୍ଟନ୍ ସହ ସଂଳାପ ରଚନା କରିଛନ୍ତି ଦେବାଶିଷ ଓ ଅଶ୍ବିନୀ ଗଡ଼ନାୟକ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଏବଂ ସଙ୍ଗୀତ ରଚନା କରିଛନ୍ତି ପ୍ରେମ୍ ଆନନ୍ଦ। ଏବଂ ଫାଇଟ୍‌ରେ ଅଛନ୍ତି ଜୁଡୋରାମୁ। ଆଗାମୀ ଗଣେଶ ପୂଜା ଅବସରରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର