ଗ୍ରୀସ୍‌ ଅଲମ୍ପିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ପୁଅ ଜିତେନ୍ଦ୍ରଙ୍କ ଚଳଚ୍ଚିତ୍ର

ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ ତଥା ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ଓ ଇଟାଲିଆନ୍‌ ଚଳଚ୍ଚିତ୍ର ନିର୍ମାତା ଉଲିସ୍‌ ଲେଣ୍ଡାରୋଙ୍କ ଇଣ୍ଡୋ-ଇଟାଲିଆନ୍‌ ଚଳଚ୍ଚିତ୍ର ‘ହ୍ୟୁମାନ ଓଏକେ’ ସମ୍ମାନଜନକ ‘ଗ୍ରୀସ୍‌ ଅଲମ୍ପିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ’ ପାଇଁ ଶିଶୁ ଓ ଯୁବ ବର୍ଗରେ ମନୋନୀତ ହୋଇଛି। ଏହି ୨୩ତମ ଅଲମ୍ପିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ୨୮ ନଭେମ୍ବରରୁ ଆରମ୍ଭ ‌ହୋଇଛି। ଏହା ଡିସେମ୍ବର ୫ ତାରିଖ ଯାଏ ଚାଲିବ। ଉତ୍ସବରେ ଶିଶୁ ଓ ପରିବାରର ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ନେଇ ୪୭ ଦେଶରୁ ୯୦ଟି ଚଳଚ୍ଚିତ୍ର ସ୍ଥାନ ପାଇଛି। ‘ହ୍ୟୁମାନ ଓଏକେ’ ଚଳଚ୍ଚିତ୍ରଟି ଏବେ ପ୍ରତିଯୋଗିତାସ୍ତରରେ ରହିଥିବା ବେଳେ ଆସନ୍ତାକାଲି ଏହାର ପ୍ରିମିୟର ବିଶ୍ବବ୍ୟାପୀ ପ୍ରଦର୍ଶିତ ହେବ। ଏହି ୧୫ ମିନିଟ୍‌ର କ୍ଷୁଦ୍ର ଚଳଚ୍ଚିତ୍ରଟି କରୋନା ମହାମାରୀ ସମୟରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଇଟାଲିରେ ସୁଟିଂ ହୋଇଛି। ଚଳଚ୍ଚିତ୍ରରେ ପୂର୍ବତନ ମିସ୍‌ ଇଟାଲି ଆନ୍ନା ଭେଲ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ। ମଣିଷପଣିଆର ନୂଆ ଏକ ଦିଗ ଉପରେ ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବସିତ ଥିବା ଜିତେନ୍ଦ୍ର କହିଛନ୍ତି।

ଓଡ଼ିଶା ଟିଟିଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ଅନ୍ତର୍ଜାତୀୟ ସ୍ତର‌ରେ ‘ଚଳଚ୍ଚିତ୍ର ନିର୍ମାଣ, ବଣ୍ଟନ ଓ ପ୍ରଚା‌ରପ୍ରସାରର ବିକଳ୍ପ ପଦ୍ଧତି’ ଉପରେ ନିଜର ପଦଚିହ୍ନ ଛାଡ଼ି ଯାଇଥିବା କିଛି ହାତଗଣତି ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ। ଅର୍ଥପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ ଦିଗରେ କାର୍ଯ୍ୟରତ ଜିତେନ୍ଦ୍ର ଏଯାଏ ୧୦୦ରୁ ଊର୍ଧ୍ବ ବିଭିନ୍ନ ବିଭାଗ, ବର୍ଗ ଓ କ୍ଷମତାର ଚଳଚ୍ଚିତ୍ର ନିର୍ମାଣ ଓ ପ୍ରଚାରପ୍ରସାରର ଅଂଶୀଦାର ହୋଇସାରିଲେଣି। ତାଙ୍କର ସଦ୍ୟ ନିର୍ମିତ ଫିଚର ଫିଲ୍ମ ତଥା ନୀନା ଗୁପ୍ତାଙ୍କ ଅଭିନୀତ ‘ଦ ଲାଷ୍ଟ କଲର୍‌’ ଏଯାଏ ୫୦ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପାଇଁ ମନୋନୀତ ହୋଇସାରିଥିବା ବେଳେ ୧୫ରୁ ଅଧିକ ପୁରସ୍କାର ଜିତିସାରିଲାଣି। ଏଥିସହ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ବିଚାରକ ଭାବେ ସେ ୨୫ଟି ଉତ୍ସବରେ ଜୁରି ଭାବେ ମନୋନୀତ ହୋଇସାରିଛନ୍ତି। ଏବେ ତାଙ୍କର ସହ‌ପ୍ରଯୋଜିତ ଚଳଚ୍ଚିତ୍ର ‘ହ୍ୟୁମାନ ଓଏକେ’ ଗ୍ରୀସ୍‌ ଅଲମ୍ପିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ଥାନ ପା‌ଇଛି।

ସମ୍ବନ୍ଧିତ ଖବର