ଏଥର ଏହି ଓଲିଉଡ ନାୟକ ହେବେ ନିଜର ପ୍ରତିଦ୍ୱନ୍ଦ୍ୱୀ

ଭୁବନେଶ୍ୱର : ଏଇମାସରେ ଜଣେ ନାୟକଙ୍କର ଦୁଇଟି ଓଡ଼ିଆ ସିନେମା ଏକା ତାରିଖ ବା ଏକା ସମୟରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ ସିନେମାରେ ନାୟକ ହେଲେ ଜ୍ୟୋତିରଂଜନ ନାୟକ।

ଜ୍ୟୋତିଙ୍କର ଯେଉଁ ଦୁଇଟି ଓଡ଼ିଆ ସିନେମା ଏକା ସମୟରେ ରିଲିଜ୍‌ ହେଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି,ତାହା ହେଲା‘ପ୍ୟାର୍‌ ଅଲଗା ପ୍ରକାର’ଏବଂ

‘ସାଥୀ ତୁ ଫେରିଆ’।‘ପ୍ୟାର୍‌ ଅଲଗା ପ୍ର୍ରକାର’ର ପ୍ରଯୋଜକ ହେଲେ ଅକ୍ଷୟ କୁମାର ପ୍ରଧାନ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ହୀରା ଚୌଧୁରୀ। ଏହି ଓଡ଼ିଅ ସିନେମାରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିବେ ଝିଲିକ୍‌। ଜ୍ୟୋତି-ଝିଲିକ୍‌ଙ୍କ ଯୋଡ଼ିର ଏହା ତୃତୀୟ ସିନେମା। ଆଗରୁ ଏହି ଯୋଡ଼ି ‘ଓଲେ ଓଲେ ଦିଲ୍‌ ବୋଲେ’ ଓ ‘ତୁ ମୋ’ ହିରୋ’ଫିଲ୍ମରେ କାମ କରିଛନ୍ତି।

‘ପ୍ୟାର୍‌ ଅଲଗା ପ୍ରକାର’ରେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ବିଜୟ ମହାନ୍ତି,ମିହିର ଦାସ ଏବଂ ଅମର ପ୍ରମୁଖ।

ଜି ସାର୍ଥକ,ବିନି ସାମଲ ଓ ନିହାର ସାମଲଙ୍କ ପ୍ରଯୋଜିତ ତଥା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସାଥୀ ତୁ ଫେରିଆ’ନଭେମ୍ବର ୨୩ ତାରିଖରେ ମୁକ୍ତିଲାଭ କରିବ ବୋଲି ବହୁ ଆଗରୁ ଘୋଷିତ ହୋଇଛି। ଏଥିରେ ଜ୍ୟୋତିଙ୍କ ନାୟିକା ଭାବେ ପରଦାକୁ ଆସୁଛନ୍ତି ଅନୁଭା। ଏତଦବ୍ୟତୀତ ଏହି ସିନେମାରେ ଶ୍ରୀତମ୍‌ ଦାସ,ମହାଶ୍ୱେତା,ପିଙ୍କି ପ୍ରଧାନ,ମଣ୍ଟୁ ଶର୍ମା ଓ ଅନୀଷା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
ଏ ଦୁଇ ସିନେମା ଏକା ତାରିଖରେ ରିଲିଜ୍‌ ହେଲେ ନାୟକ ଜ୍ୟୋତି ହିଁ ନିଜର ପ୍ରତିଦ୍ୱନ୍ଦ୍ୱୀ ହେବେ।

ସମ୍ବନ୍ଧିତ ଖବର