ପୂଜାରେ ପ୍ରଥମ ରିଲିଜ୍ ‘ମନେ ମନେ ମନ ଖୋଜୁଥିଲା’

ଶତ୍ରୁତା ଓ ପ୍ରେମ ପୃଷ୍ଠଭୂମିରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’। ମହାଭାରତ କାହାଣୀରେ ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ଭିତରେ ପ୍ରଚଣ୍ଡ ଶତ୍ରୁତା ଥିଲା। ସେମିତି କଳିଯୁଗର ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ବି ଅନୁରୂପ ଶତ୍ରୁତା ରହିଛି। ହେଲେ ଅଭିମନ୍ୟୁଙ୍କ ପୁଅ ଓମ୍ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ଭିତରେ ଗଢ଼ିଉଠିଛି ପ୍ରେମ ସମ୍ପର୍କ। ବାପାଙ୍କର ଶତ୍ରୁ ଘରେ ଯାଇ ଗୌରୀ ଓମ୍ ସହିତ ଘର ବସାଉଛନ୍ତି, ଆଉ ଏଥିପାଇଁ ସେମାନଙ୍କୁ କି କି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହେଇଛି। ଏଥିରେ ଓମ୍ ଭୂମିକାରେ ଓମ୍‌କାର, ଗୌରୀ ଭୂମିକାରେ ନମ୍ରତା ସିଂହଦେଓ ଏବଂ ଅନ୍ୟତମ ନାୟିକା ସାଜିଛନ୍ତି ପ୍ରିୟଙ୍କା। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁ‌ମୋଚନ, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ଶୁଭମ୍ ଓ ଆପ୍ପାରାଓଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ପୂଜା ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିଛି। ମ୍ୟୁଜିକ୍ ରିଲିଜ୍ ହେବା ପରେ ଏହାର ସଙ୍ଗୀତ ଦର୍ଶକଙ୍କୁ ଆକୃଷ୍ଟ କରିଛି। ଅନନ୍ୟ ଏଣ୍ଟର୍‌ଟେନ୍‌ମେଣ୍ଟ ନିବେଦିତ ଓ ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଏଇ ନୂଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। ଏହାର କାହାଣୀ ପରିକଳ୍ପନା କରିଛନ୍ତି ଦୁର୍ଗା ଆଚାର୍ଯ୍ୟ ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଦୀପକ ଜେନା। ସଙ୍ଗୀତ ସଜାଇଛନ୍ତି ଜି. ଅଶୋକ କୁମାର।

ସମ୍ବନ୍ଧିତ ଖବର